ବସ୍ତି ଉନ୍ନୟନ ପାଇଁ ବିଶ୍ବସ୍ତରରେ ପ୍ରଶଂସିତ

‘ଜାଗା ମିଶନ’ ବିଶ୍ବର ସର୍ବବୃହତ ପ୍ରକଳ୍ପ

-୨୫୫ବସ୍ତି ଏବେ ଉନ୍ନତ ବାସୋପଯୋଗୀ ଅଞ୍ଚଳ
-୫୨,୬୮୨ପରିବାରକୁ ମିଳିଛି ଜମି ଅଧିକାର ପ୍ରମାଣପତ୍ର
-ରାଜ୍ୟର ୧୭୨୫ ବସ୍ତିର ସରିଛି ଡ୍ରୋନ୍‌ ସର୍ବେକ୍ଷଣ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କର ମହତାକାଂକ୍ଷୀ ପ୍ରକଳ୍ପ ‘ଜାଗା ମିଶନ’ ବସ୍ତି ଅଞ୍ଚଳର ଲୋକଙ୍କୁ ଜମି ଅଧିକାର ପ୍ରଦାନ ଓ ବସ୍ତି ଉନ୍ନୟନ କ୍ଷେତ୍ରରେ ବିଶ୍ବସ୍ତରରେ ପ୍ରଶଂସିତ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୨୫୫ ବସ୍ତିକୁ ବାସୋପୋଯୋଗୀ ଅଞ୍ଚଳଭାବେ ବିକଶିତ କରାଯିବା ସହ ୫୨,୬୮୨ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଯୋଗାଇ ଦିଆଯାଇଛି ବୋଲି ସରକାରୀଭାବେ କୁହାଯାଇଛି। ‘ଜାଗା ମିଶନ’ର ଏଭଳି ସଫଳତା ପାଇଁ ଓଡ଼ିଶାକୁ ବିଶ୍ବସ୍ତରୀୟ ସ୍ବୀକୃତି ମିଳିବା ସହିତ ମର୍ଯ୍ୟାଦାଜନକ ୱାର୍ଲଡ଼ ହାବିଟାଟ ପୁରସ୍କାର ମିଳିଛି। ମିଳିତ ଜାତିସଂଘର ହାବିଟାଟ ସଂସ୍ଥା ସହଯୋଗରେ ୟୁକେସ୍ଥିତ ସଙ୍ଗଠନ ‘ୱାର୍ଲଡ଼ ହାବିଟାଟ’ ବିଶ୍ବସ୍ତରରେ ଉତ୍କର୍ଷତାର ସହିତ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ଏହି ପୁରସ୍କାର ପ୍ରଦାନ କରିଥାଏ। ବସ୍ତିରେ ରହୁଥିବା ୧ନିୟୁତ ସହରାଞ୍ଚଳ ଗରିବ ଏହାଦ୍ବାରା ଉପକୃତ ହୋଇଛନ୍ତି। ଏହା ବିଶ୍ବର ସର୍ବବୃହତ ପ୍ରକଳ୍ପ ଭାବେ ବିବେଚିତ ହୋଇଛି। ଏହି ମିଶନ ୨୦୧୮ ମେ ୧୮ରେ ଟାଟା ଟ୍ରଷ୍ଟ ଏବଂ ନରମାନ ଫଷ୍ଟର ଫାଉଣ୍ଡେସନ ଭଳି ଫିଲାନଥ୍ରୋଫିକ ସଂସ୍ଥାର ମିଳିତ ସହଯୋଗରେ କାର୍ଯ୍ୟକାରୀ ହୋଇଥିଲା। ବସ୍ତି ବାସିନ୍ଦାଙ୍କୁ ଜମିର ଅଧିକାର ପ୍ରଦାନ ସହିତ ସୁଗମ ବାସୋପଯୋଗୀ ଅଞ୍ଚଳ ଭାବେ ନିର୍ମାଣ କରିବା ଥିଲା ଏହାର ଲକ୍ଷ୍ୟ।
ବର୍ତ୍ତମାନ ସୁଦ୍ଧା ଏହି ମିଶନ ଜରିଆରେ ୫୨,୬୮୨ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଡ଼୍ରୋନ ଏବଂ ଜିଆଇଏସ ଜ୍ଞାନକୌଶଳ ଦ୍ବାରା ୧୭୨୫ ବସ୍ତିର ସର୍ବେକ୍ଷଣ କରାଯାଇଛି। ରାଜ୍ୟସ୍ତରୀୟ କାରିଗରୀ ଜ୍ଞାନ ଏବଂ ଗୋଷ୍ଠୀ ସହଯୋଗରେ ଧାର୍ଯ୍ୟ ଅବଧି ଭିତରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଛି। ସହରାଞ୍ଚଳର ୨୫୫ଟି ବସ୍ତିକୁ ଉନ୍ନତ ବାସୋପଯୋଗୀ ଅଞ୍ଚଳ ଭାବେ ନିର୍ମାଣ କରାଯାଇଛି। ଏହି ପୁରସ୍କାର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଜରିଆରେ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ସହଯୋଗୀ ଟାଟା ଟ୍ରଷ୍ଟ, ନରମାନ ଫଷ୍ଟର ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ବସ୍ତି ଅଞ୍ଚଳରେ ବାସ କରୁଥିବା ୧.୭ନିୟୁତ ସହରାଞ୍ଚଳ ଗରିବଙ୍କୁ ‌ସଶକ୍ତ କରିବା କ୍ଷେତ୍ରରେ ଏ ଅଭିଯାନ ଜାରି ରହିବ ବୋଲି କହିଛନ୍ତି।
ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମିଶନ କାର୍ଯ୍ୟକାରୀ କରିଥିବା ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ସହରାଞ୍ଚଳ ଗରିବଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତା ଏବଂ ଜାଗା ମିଶନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଥିବା ଦୂରଦୃଷ୍ଟି ପାଇଁ ୱାର୍ଲଡ଼ ହାବିଟାଟ ପୁରସ୍କାର ହେଉଛି ଏକ ସ୍ବୀକୃତି। ଏଭଳି ମହତ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କୁ ସହଯୋଗ କରିବାର ସୁଯୋଗ ପାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି। ଉନ୍ନତ ବୈଷୟିକ

ଜ୍ଞାନକୌଶଳ ମାଧ୍ୟମରେ ସହରାଞ୍ଚଳ ଗରିବଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥିବାରୁ ନିକଟରେ ଏହି ପ୍ରକଳ୍ପକୁ ଇଣ୍ଡିଆ ଜିଓସ୍ପାଟିଆଲ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଥିଲା। ବସ୍ତି ପାଇଁ ଡ଼୍ରୋନ ‌ଜରିଆରେ ସର୍ଭେ କରାଯାଇ ବିଶ୍ବରେ ପ୍ରଥମ ଥର ପାଇଁ ଏ ପ୍ରକାର ଡାଟା ପ୍ରସ୍ତୁତ କରାଯାଇଛି। ବିଭିନ୍ନ ନୀତି ନିର୍ଦ୍ଧାରକ, ପ୍ରଶାସକ ଏବଂ ଗବେଷକମାନେ ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୨,୯୧୯ ବସ୍ତିରେ ଲୋକଙ୍କ ବଞ୍ଚିବା ଶୈଳୀରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ୨୦୧୭ରେ ଏହି ଅଭିନବ କାର୍ଯ୍ୟପନ୍ଥା ଅାପଣାଇଥିଲେ। ଏହା ମାଧ୍ୟମରେ ବସ୍ତିରେ ବାସଗୃହ, ସଡ଼କ, ନାଳ, ରାସ୍ତା ଆଲୋକ, ପରିମଳ ଓ ସ୍ବଚ୍ଛ ପାନୀୟଜଳ ଯୋଗାଣର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ୨୦୬,୦୦୦ ପରିବାରକୁ ଜମି ଅଧିକାର ପ୍ରଦାନ ପାଇଁ ଲକ୍ଷ୍ୟ ରହିଥିଲା। ୨୦୨୧-୨୩ ମଧ୍ୟରେ ଜମି ଅଧିକାର ଓ ବାସଗୃହ ପ୍ରଦାନ ଲକ୍ଷ୍ୟ ସମ୍ପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଥିଲା।
ସରକାରଙ୍କ ଜାଗା ମିଶନ ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ଈଶା​‌େନଶ୍ବର ବସ୍ତିରେ ଦୀର୍ଘ ୩୦ବର୍ଷ ଧରି ରହୁଥିବା ବିମଳା ମହାରଣା କହିଛନ୍ତି ଯେ ବସ୍ତିରେ ଯୋଗାଇଦିଆଯାଇଥିବା ସୁବିଧା ଆମ ପାଇ ଖୁସି ଆଣିଛି। ବସ୍ତିରେ ଖୋଲା ଜାଗା ରହିଛି, ପିଲାମାନେ ଖେଳିବାର ସୁବିଧା ପାଉଛନ୍ତି ଏହା ପୂର୍ବରୁ ଏ ବସ୍ତିରେ ପାଣି ଜମୁଥିଲା, ପିଲାଙ୍କ ପାଇଁ ଅସୁରକ୍ଷିତ ଥିଲା। ବସ୍ତି ଏବେ ଆମ ପାଇଁ ନିରାପଦ ଆଶ୍ରୀୟସ୍ଥଳୀ ହୋଇଛି।
ୱାର୍ଲଡ଼ ହାବିଟାଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼େଭିଡ଼ ଇରଲାଣ୍ଡ କହିଛନ୍ତି ବିଶ୍ବରେ ଏକ ବିଲିୟନ ଲୋକ ବସ୍ତିରେ ରହୁଛନ୍ତି। ବସ୍ତିରୁ ଜବରଦସ୍ତ ଲୋକଙ୍କୁ ହଟାଇ କିମ୍ବା ଭାଙ୍ଗିବା ଦ୍ବାରା ଏହାର ସମାଧାନ ହେବ ନାହିଁ। ଏଭଳି ପ୍ରକଳ୍ପ କେବଳ ଜମି ଅଧିକାର ଦେଉନି, ଲୋକଙ୍କୁ ସୁସ୍ଥ ଭାବେ ଜୀବନଯାପନର ସୁବିଧା ସୃଷ୍ଟି କରିପାରିଛି।
ୱାର୍ଲଡ଼ ହାବିଟାଟ ପୁରସ୍କାର ବିଚାରକ ମଣ୍ଡଳୀର ମତ ହେଲା ରାଜ୍ୟ ନେତୃତ୍ବରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ବଡ଼ ଆକାଂକ୍ଷୀ ଯୋଜନା ଏବଂ ଗୋଷ୍ଠୀ ବିକାଶକୁ ଦୃଷ୍ଟିରେ ରଖି ଏହା ଜରିଆରେ ଜମି ଅଧିକାର ପ୍ରଦାନ କରାଯାଉଛି। ଦେଶର ଅନ୍ୟ ଅଞ୍ଚଳ ପାଇଁ ଏହା ଉତ୍କୃଷ୍ଟ ଉଦାହରଣ। ଯେଉଁ ଧାରାରେ ଏ ପ୍ରକଳ୍ପ ଆଗକୁ ବଢ଼ିଛି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ।
ବସ୍ତି ଉନ୍ନୟନ ପାଇଁ…

Comments are closed.