ଆନ୍ତର୍ଜାତିକ ଗ୍ଲୋବାଲ ଆଇଟି ଚ୍ୟାଲେଞ୍ଜରେ ଭିନ୍ନକ୍ଷମ ଛାତ୍ର ଅମରେଶଙ୍କୁ ସ୍ୱର୍ଣ୍ଣପଦକ

ତାଳଚେର : ଆନ୍ତର୍ଜାତିକ ଗ୍ଲୋବାଲ ଆଇଟି ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ତାଳଚେରର ଭିନ୍ନକ୍ଷମ ଛାତ୍ର ଅମରେଶ ପ୍ରସାଦ ଗୌଡ଼ ସ୍ୱର୍ଣ୍ଣ ପଦକ ହାସଲ କରିିଥିବା ଜଣାପଡ଼ିଛି। ସାଉଥକୋରିଆର ଭୁଷାଣଠାରେ ଅନୁଷ୍ଠିତ ଏହି ଆନ୍ତର୍ଜାତିକ ଗ୍ଲୋବାଲ୍‍ ଆଇଟି ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୨୫ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଭିନ୍ନକ୍ଷମ ବର୍ଗର ଇ- ଟୁଲ୍‍ ଚ୍ୟାଲେଞ୍ଜରେ ଅମରେଶ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। 

ଅମରେଶ ତାଳଚେର ଥର୍ମାଲ୍‍ର ଭେଲ୍‍ କଲୋନୀରେ ରହୁଥିଲା ବେଳେ ସେ କଟକର ବୋଷ ଇଞ୍ଜିନିୟରିଂ ସ୍କୁଲରେ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରୁଛନ୍ତି। ଗତ ୨୦୧୬ ଓ ୧୭ ମସିହାରେ ସ୍ନାୟୁ ରୋଗରେ ପୀଡ଼ିତ ହେବାରୁ ଅମରେଶଙ୍କର ଦୁଇଟି ଗୋଡ ଓଲଟପୁର ଡାକ୍ତରଖାନାଠାରେ କାଟି ଦିଆଯାଇଥିଲା। ଫଳରେ ସେ ସୁସ୍ଥ ଜୀବନରୁ ସଂଘର୍ଷମୟ ଜୀବନ ଆଡକୁ ଗତି କରିଥିଲେ। ଓଲଟପୁରଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେଠାକାର ଡାକ୍ତରମାନେ ତାଙ୍କୁ ଆଇଟି ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେବା ସହିତ ବିଭିନ୍ନ ଆଇଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରୋତ୍ସାହନ ଯୋଗାଇ ଥିଲେ।
ସେ ଏହି ପରାମର୍ଶକୁ ପାଥେୟ କରି ଏନ୍‍ଆଇଟି ଏବଂ ଭାରତ ସରକାରଙ୍କର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁରୁକ୍ଷେତ୍ରଠାରେ ଚଳିତ ବର୍ଷ ଜାତୀୟ ଆଇଟି ଭିନ୍ନକ୍ଷମ ପ୍ରତିଯୋଗିତାରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ଅମରେଶଙ୍କର ଏହି ସଫଳତାକୁ ନେଇ ସାଉଥକୋରିଆଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଗ୍ଲୋବାଲ୍‍ ଆଇଟି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ସେଠାରେ ପ୍ରତିଯୋଗିତାରେ ଭାଗ ନେଇ ଅମରେଶ ତାଙ୍କର ଉତ୍କର୍ଷତା ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି। ତାଙ୍କୁ ସ୍ୱର୍ଣ୍ଣ ପଦକ ସହ ମାନପତ୍ର ଏବଂ ୩୦୦ ଆମେରିକୀୟ ଡଲାର ପ୍ରଦାନ କରାଯାଇଛି। ଅମରେଶ ଜଣେ ଭିନ୍ନକ୍ଷମ ହୋଇଥିଲା ବେଳେ ତାଙ୍କର ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ସେ ଏହି ସଫଳତ ପାଇଥିବା ତାଙ୍କର ବାପା, ମା’ ଓ ପରିବାର ସୂଚନା ଦେଇଛନ୍ତି।
ଅମରେଶଙ୍କର ପିତା ସାଏବ ଗୌଡ଼ ତାଳଚେର ଥର୍ମାଲ୍‍ ହାୟର ସେକେଣ୍ଡାରୀ ସ୍କୁଲର ଲାବୋରୋଟାରୀ ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟ କରୁଥିଲା ବେଳେ ମାତା ମୋହିନୀ ଗୌଡ଼ ଗୃହିଣୀ ଅଟନ୍ତି। ଅମରେଶଙ୍କର ଏହି ସଫଳତା ଖବର ପାଇଲା ପରେ ତାଳଚେର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ସେ ବର୍ତ୍ତମାନ ଦୁଇଟି ପ୍ଲାଷ୍ଟିକ ଗୋଡ ଲଗାଇ କାର୍ଯ୍ୟ କରୁଛନ୍ତି।

Comments are closed.