ଅଟୋମୋ‌ବାଇଲ କ୍ଷେତ୍ରରେ ଜାରି ରହିଛି କରୋନା ମାଡ଼ : ଜୁଲାଇରେ ଯାତ୍ରୀବାହୀ ଯାନ ବିକ୍ରି ୨୫% କମିଲା

ଦୁଇଚକିଆ ବିକ୍ରି ୩୭% କମିଲା

ନୂଆଦିଲ୍ଲୀ : କୋଭିଡ୍‌-୧୯ର ପ୍ରଭାବ ଏବେ ବି ଜାରି ରହିଛି ଦେଶର ଅଟୋ ମୋବାଇଲ କ୍ଷେତ୍ରରେ। ପ୍ରଭାବ ସ୍ବରୂପ ଜୁଲାଇରେ ଯାତ୍ରୀବାହୀ ଯାନ ବିକ୍ରିରେ ୨୫% ହ୍ରାସ ଘଟିଛି । ୨୦୧୯ ଜୁଲାଇ ମାସ ତୁଳନାରେ ଯାନ ବିକ୍ରି ୨୫.୧୯% ଖସିଆସି ୧,୫୭,୩୭୩ ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ଜୁଲାଇରେ ୨,୧୦,୩୭୭ ୟୁନିଟ୍‌ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିଲା। ଦେଶର ୧,୪୪୫ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ (ଆର୍‌ଟିଓ) ମଧ୍ୟରୁ ୧,୨୩୫ ଆର୍‌ଟିଓରୁ ସଂଗୃହୀତ ତଥ୍ୟକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ ପାଇଛି।
ସେହିଭଳି ଜୁଲାଇରେ ଦେଶରେ ଦୁଇଚକିଆ ଯାନ ବିକ୍ରିରେ ୩୭%ରୁ ଅଧିକ ହ୍ରାସ ଘଟିଛି। ଏହି ସମୟରେ ଦୁଇଚକିଆ ଯାନ ବିକ୍ରିରେ ୩୭.୪୭% ହ୍ରାସ ଘଟି ୮,୭୪,୬୩୮ ୟୁନିଟ୍‌ ରହିଛି। ପୂର୍ବବର୍ଷର ଏହି ସମୟରେ ବିକ୍ରି ୧୩,୯୮,୭୦୨ ୟୁନିଟ୍‌ ରହିଥିଲା । ତେବେ ଚଳିତବର୍ଷ ଜୁଲାଇରେ ବାଣିଜ୍ୟିକ ଯାନ ବିକ୍ରିରେ ମଧ୍ୟ ୭୨.୧୮% ହ୍ରାସ ଘଟି ୧୯,୨୯୩ ୟୁନିଟ୍‌କୁ ଖସିଆସିଥିବାବେଳେ ଗତବର୍ଷ ଜୁଲାଇରେ ଏହା ୬୯,୩୩୮ ୟୁନିଟ୍‌ ରହିଥିଲା। ଅନ୍ୟପକ୍ଷ​ରେ ଜୁଲାଇରେ ତିନିଚକିଆ ଯାନ ବିକ୍ରିରେ ସର୍ବାଧିକ ୭୪.୩୩% ହ୍ରାସ ଘଟି ୧୫,୧୩୨ ୟୁନିଟ୍‌କୁ ଖସିଆସିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲରର୍ସ ଆସୋସିଏସନ୍‌ (ଫାଡା) ପକ୍ଷରୁ କୁହାଯାଇଛି।

Comments are closed.