ନୂଆଦିଲ୍ଲୀରେ ପହଁଚିଲେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ, ଆସନ୍ତାକାଲି ମନ୍ତ୍ରୀସ୍ତରୀୟ ଆଲୋଚନା

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମରିସ ପେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନ ନୂଆଦିଲ୍ଲୀରେ ପହଂଚିଛନ୍ତି। ବିମାନବନ୍ଦରରେ ଉଭୟଙ୍କୁ ଭାରତର ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଛନ୍ତି।

ଆସନ୍ତାକାଲି ହେବାକୁ ଥିବା ଆଲୋଚନାରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମରିସ ପେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନଙ୍କ ସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସହ ଆଲୋଚନା କରିବେ। ଏହି ଆଲୋଚନାରେ ଭାଗ ନେବାକୁ ଅଷ୍ଟ୍ରେଲିଆର ମନ୍ତ୍ରୀମାନେ ଚଳିତ ମାସ ୧୨ ଯାଏଁ ଭାରତରେ ରହିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଯେଉଁଥିରେ ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ରହିବେ।

ଆଫଗାନିସ୍ତାନରେ ଉପୁଜିଥିବା ପରିସ୍ଥିତି ମଧ୍ୟରେ ଏହି ଆଲୋଚନା ହେଉଥିବାରୁ ଯଦିଓ ସେହି ବିଷୟକୁ ଅଗ୍ରାଧିକାର ଦିଆଯିବ କିନ୍ତୁ ଆଲୋଚନା କାଳରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ। ଗତ ବର୍ଷ ଜୁନ୍ ୪ରେ ଭାରତ-ଅଷ୍ଟ୍ରେଲିଆ ନେତାଙ୍କ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ଓ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ଏହି ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା।

Comments are closed.