ଅଷ୍ଟ୍ରେଲିୟା ଜଙ୍ଗଲରେ ବ୍ୟାପୁଛି ନିଆଁ; ଫସି ରହିଛନ୍ତି ୪ ହଜାର ଲୋକ

ସିଡନୀ: ଅଷ୍ଟ୍ରେଲିୟାର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟଙ୍କର ରୂପ ଧାରଣ କରିଛି। ସେଠାକୁ ଛୁଟି କାଟିବାକୁ ଯାଇଥିବା କିଛି ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକ ଭୟାବହ ନିଆଁରେ ଫସି ରହିଛନ୍ତି। ସମୁଦ୍ର ନିକଟରେ ଥିବା ମଲ୍ଲକୁଟା ସହରରେ ପ୍ରାୟ ୪ ହଜାର ଲୋକ ସେଠାରେ ଫସି ରହିଥିବା ସୂଚନା ମିଳିଛି। ନିଆଁ ଲାଗିବା କାରଣରୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଯାହା ଦ୍ବାରା ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ପ୍ରବଳ ପବନ ବହିବା କାରଣରୁ ଅଙ୍ଗରା ଉଡି ଆସି ବିଭିନ୍ନ ସ୍ଥାନରେ ପଡୁଛି।

ଭିକ୍ଟୋରିୟାର ଇମରଜେନ୍ସି ମ୍ୟାନେଜମେଣ୍ଟ କମିଶନର ଏଣ୍ଡ୍ରୟୁ କ୍ରିସ୍ପଙ୍କ ସୂଚନା ଅନୁଯାୟୀ, ମଲ୍ଲକୁଟାର ସମୁଦ୍ର କୂଳରେ ୩ଟି ଉଦ୍ଧାରକାରୀ ଦଳ ଉପସ୍ଥିତ ରହି ପ୍ରାୟ ୪ ହଜାର ଲୋକଙ୍କ ଉପରେ ନଜର ରଖିଛନ୍ତି। ଆବଶ୍ୟକ ପଡିଲେ ଲୋକମାନଙ୍କୁ ସମୁଦ୍ର ପଥ ଦେଇ ସେଠାରୁ ଉଦ୍ଧାର କରାଯିବ। ସୋସିଆଲ ମିଡିଆରେ ଜଣେ ସ୍ଥାନୀୟ ଲୋକ କହିଛନ୍ତ ଯେ, ସେମାନେ ଜୀବନରକ୍ଷକ ଜ୍ୟାକେଟ୍ ପିନ୍ଧି ରହିଛନ୍ତି। ଆବଶ୍ୟକ ପଡିଲେ ଜୀବନ ରକ୍ଷା ପାଇଁ ସମୁଦ୍ର ମଧ୍ୟକୁ ଡେଇଁ ପଡିବୁ।

ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଛି। ଘଣ୍ଟା ପ୍ରତି ୧୦୦ କିମି ବେଗର ଏହି ଉତ୍ତପ୍ତ ପବନ ଅନ୍ୟ ଅଞ୍ଚଳକୁ ବ୍ୟାପୁଛି  ଭିକ୍ଟୋରିୟାରର ପୂର୍ବ ଗିପ୍ସଲ୍ୟାଣ୍ଡରେ ବସବାସ କରୁଥିବା ୩୦ ହଜାର ବାସିନ୍ଦାକୁ ଅଞ୍ଚଳ ଛାଡିବାକୁ ନିର୍ଦେଶ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ କିଛି ମାସ ଧରି ଅଷ୍ଟ୍ରେଲିୟା ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଲୁ ଓ ଦ୍ରୁତ ଗତିରେ ପବନ ବହିବା କାରଣରୁ ନିଆଁକୁ ଆୟତ କରାଯାଇପାରୁନାହିଁ।

Comments are closed.