ଦ୍ବିତୀୟ ଦିନିକିଆରେ ଭାରତକୁ ୫୧ ରନ୍‌ରେ ପରାସ୍ତ କରି ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୫୧ ରନରେ ପରାସ୍ତ କରିଛି । ଏହା ସହିତ ଘରୋଇ ଦଳ ଏହି ୩ ଟିକିଆ ଦିନିକିଆ ସିରିଜରେ ୨-୦ରେ ଆଗୁଆ ସହ ସିରିଜ ଜିତିନେଇଛି।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଥିଲା। ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୦୪ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୮୩, ମାର୍ନସ ଲାବୁସାନେଙ୍କ ୭୦ ରନ ଓ ମାକ୍ସ ଓ୍ଵେଲଙ୍କ ବିସ୍ଫୋରକ ଅପରାଜିତ ୬୩ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ବିଶାଳ ୩୮୯ ରନ କରିଥିଲା। ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ ଓ କେଏଲ ରାହୁଲଙ୍କ ୭୬ ରନ ସହାୟତାରେ ୯ ଓ୍ଵିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହେବାସହ ୫୧ ରନ୍‌ରେ ଦ୍ବିତୀୟ ଦିନିକିଆରେ ପରାଜୟ ବରଣ କରିଥିଲା। ପରାଜୟ ସହ ଭାରତର ସିରିଜ୍ ଜିତିବା ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଗୋଟିଏ ମ୍ୟାଚ୍ ବାକି ଥାଇ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଜିତି ନେଇଛି।

ବିଜୟ ପାଇଁ ୩୯୦ ରନ୍‌ ଆବଶ୍ୟକ କରୁଥିବା ଭାରତର ଦୁଇ ଓପନର ଶିଖର ଧାଓ୍ଵନ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅଧିକ ସମୟ ପଡିଆରେ ରହି ପାରିନଥିଲେ। ୭.୪ ଓଭରରେ ୫୮ ରନ ଯୋଡିଥିଲେ ଭାରତର ଦୁଇ ଓପନର ଶିଖର ଧାଓ୍ଵନ ଓ ମୟଙ୍କ ଅଗ୍ରଓ୍ଵାଲ । ପରେ ପରେ ଦଳକୁ ଦୁଇଟି ଝଟକା ଲାଗିଥିଲା। ଶିଖର ଧାଓ୍ଵନ ୩୦ ରନ କରି ଆଉଟ୍ ହୋଇଥିଲେ। ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ମିଳିଥିବା ସୁଯୋଗ ଫାଇଦା ଉଠାଇପାରିନଥିଲେ। ସେ ୨୮ ରନ କରି ବିଦାୟ ନେଇଥିଲେ।

ଏହା ପରେ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଦଳର ଇନିଂସ ସମ୍ଭାଳିଥିଲେ। ଆବଶ୍ୟକ ରନ ହାର ବଜାୟ ରଖି ସ୍କୋରକୁ ୧୫୩ ରନରେ ପହଞ୍ଚାଇଥିଲେ ଏବଂ ଦଳର ବିଜୟ ଆଶା ବଜାୟ ରଖିଥିଲେ। ହେନରିକ୍ସ ଶ୍ରେୟସଙ୍କୁ ଆଉଟ୍ କରି ଭାରତକୁ ବଡ ଝଟକା ଦେବା ସହ ଭାଗିଦାରୀ ଭାଙ୍ଗିଥିଲେ। ଶ୍ରେୟସ ୩୬ ବଲରୁ ୫ ଚୌକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୯୩ ରନ ଯୋଡିଥିଲେ। ଅନ୍ୟପଟେ ବିରାଟ କୋହଲି ଦିନିକିଆରେ ୫୮ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ କୋହଲି ଓ ଲୋକେଶ ରାହୁଲଙ୍କ ମଧ୍ୟରେ ଆଉ ଏକ ସୁନ୍ଦର ଭାଗିଦାରୀ ଦେଖିବାକୁ ମିଳିଥିଲା। ଦୁଇ ବ୍ୟାଟମସ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ୭୨ ରନ ଯୋଡି ଦଳର ସ୍ଥିତିକୁ ମଜବୁତ କରିଥିଲେ। ହେଲେ ଶତକ ଅଭିମୁଖେ ଗତି କରୁଥିବା ବିରାଟ କୋହଲି ହେଜଲେଉଡଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। କୋହଲି ୮୭ ବଲରୁ ୭ ଚୌକା ଓ ୨ ଛକା ସହ ୮୯ ରନକରି ପାଭିଲିୟନ ଫେରିଥିଲେ। ପୁଣି ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ବଢାଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍‌ରେ ୬୩ ରନ ଯୋଡିଥିଲେ। ହେଲେ ଏହା ଦଳ ପାଇଁ ପର୍ୟ୍ୟାପ୍ତ ହୋଇନଥିଲା।

ରାହୁଲ ଦିନିକିଆରେ ସପ୍ତମ ଅର୍ଦ୍ଧଶତକ ହାସଲ କରିବା ସହିତ ୬୬ ବଲରୁ ୪ ଚୌକା ଓ ୫ ଛକା ସହ ୭୬ ରନର ଉଲ୍ଲେଖନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଏଥିସହ ଭାରତ ବିଜୟଠୁ ବହୁ ପଛରେ ପଡି ଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ୨୪ ରନ କରି ୪୭ ତମ ଓଭରରେ ପାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷରେ ଭାରତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ପାଟ୍ କମିନ୍ସ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ଜୋସ୍ ହେଜେଲଉଡ ଓ ଆଡମ ଜାମ୍ପା ପ୍ରତ୍ୟେକ ୨ ଓ୍ଵିକେଟ୍ ନେଇଥିଲେ।

 

Comments are closed.