ୱାର୍ଣ୍ଣରଙ୍କ ୬୫ ; ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ : ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଗୁରୁବାର ଗ୍ରୁପ୍‌-୧ର ମ୍ୟାଚ୍‌ରେ ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କାକୁ ୭ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। କୁଶଳ ପରେରା, ଚରିତ ଆସାଲାଙ୍କା ଓ ଭାନୁକା ରାଜପକ୍ଷଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୬ ୱିକେଟରେ ୧୫୪ ରନ୍‌ କରିଥିଲା। ପରେ ଡେଭିଡ୍‌ ୱାର୍ଣ୍ଣରଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଏବଂ ଆରୋନ୍‌ ଫିଞ୍ଚ୍‌ ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଉପଯୋଗୀ ଇନିଂସ ବଳରେ ଅଷ୍ଟ୍ରେଲିଆ ୧୭ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଶ୍ରୀଲଙ୍କା ୨ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି ।
ଅଷ୍ଟ୍ରେଲିଆ ୧୫୫ ରନ୍‌ର ପିଛା କରିଥିବା ବେଳେ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଫର୍ମକୁ ଫେରିିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଦୁହେଁ ଦର୍ଶନୀୟ ଷ୍ଟ୍ରୋକ୍‌ ଖେଳି ୭ ଓଭର ପୂରିବା ପୂର୍ବରୁ ୭୦ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ହେଲେ ଶ୍ରୀଲଙ୍କାର ଲେଗ୍‌ସ୍ପିନର ୱାନିନ୍ଦୁ ହସରଙ୍ଗା ଅଳ୍ପ ବ୍ୟବଧାନରେ ୨ଟି ୱିକେଟ ନେଇ ଯାଇଥିଲେ। ଆରୋନ୍ ଫିଞ୍ଚ୍ ୨୩ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୩୭ ରନ୍‌କରି ଆଉଟ ହୋଇଥିଲେ। ପରେ ଗ୍ଲେନ୍‌ ମ୍ୟାକ୍ସୱେଲ ୫ ରନ୍‌କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟେ ବାମହାତି ଡେଭିଡ୍‌ ୱାର୍ଣ୍ଣର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ୱାର୍ଣ୍ଣର ୧୮ ରନ୍‌ କରିଥିବା ବେଳେ ଏକ ଜୀବନଦାନ ପାଇଥିଲେ। ୩୧ ବଲ୍‌ରେ ୱାର୍ଣ୍ଣର ୧୯ତମ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ ପୂରଣ କରିଥିଲେ। ୱାର୍ଣ୍ଣର ୪୨ ବଲ୍‌ରୁ ୧୦ଟି ଚୌକା ସହ ୬୫ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଷ୍ଟିଭେନ୍ ସ୍ମିଥ୍‌ ଓ ମାର୍କସ ଷ୍ଟୋଇନିସ୍‌ ଅଷ୍ଟ୍ରେଲିଆକୁ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଷ୍ଟୋଇନିସ୍‌ ୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌କରି ଅପରାଜିତ ଥିଲେ। ସ୍ମିଥ୍ ୨୬ ବଲ୍‌ରୁ ୨୮ ରନ୍‌କରି ଅପରାଜିତ ଥିଲେ। ୪ ଓଭରରୁ ମାତ୍ର ୧୨ ରନ୍‌ ଦେଇ ୨ଟି ୱିକେଟ ନେଇଥିବା ଆଡାମ୍ ଜାମ୍ପା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍‌ଡିଂ ନେଇଥିଲା। ଶ୍ରୀଲଙ୍କା ସହଳ ଓପ୍‌ନର ପାଥୁମ୍ ନିଶଙ୍କା (୭)ଙ୍କ ୱିକେଟ ହରାଇଥିଲା। ପରେ ଓପ୍‌ନର କୁଶଳ ପରେରା ଓ ଫର୍ମ​‌େ​‌ର ଥିବା ଚରିତ ଆସାଲାଙ୍କା ଚମତ୍କାର ବ୍ୟାଟିଂକରି ୨ୟ ୱିକେଟ ପାଇଁ ୬୩ ରନ୍‌ ଯୋଡ଼ିଥିଲେ। ହେଲେ ପରବର୍ତ୍ତୀ ୧୬ ରନ୍‌ରେ ଶ୍ରୀଲଙ୍କା ୪ଟି ୱିକେଟ ହରାଇଥିଲା। ଆସାଲଙ୍କା ୨୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୫ ରନ୍‌କରି ଆଉଟ୍‌ ହୋଇଥିଲେ। କୁଶଳ ପରେରା ୨୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୫ ରନ୍‌କରି ବିଦାୟ ନେଇଥିଲେ। ଅଭିକ୍ଷା ଫର୍ଣ୍ଣାଣ୍ଡୋ ଓ ୱାନିନ୍ଦୁ ହସରଙ୍ଗା ୪ ରନ୍ ଲେଖାଏଁ କରିଥିଲେ। ୯୪ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ଭାନୁକା ରାଜପକ୍ଷଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଶ୍ରୀଲଙ୍କା ଦେଢ଼ଶହ ରନ୍‌ ଅତିକ୍ରମ କରି ପାରିଥିଲା। ଅଧିନାୟକ ଦାସୁନ୍ ଶନକ ୧୨ ରନ୍‌କରି ଆଉଟ ହୋଇଥିବା ବେଳେ ଚମିକା କରୁଣାରତ୍ନେ ୯ ରନ୍‌କରି ଅପରାଜିତ ଥିଲେ। ଭାନୁକା ରାଜପକ୍ଷ ୨୬ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଥିଲେ। ମିଚେଲ ଷ୍ଟାର୍କ, ପ୍ୟାଟ୍‌ କମିନ୍‌ସ ଓ ଆଡାମ୍ ଜାମ୍ପା ୨ଟି ଲେଖାଏଁ ୱିକେଟ ପାଇଥିଲେ।

Comments are closed.