ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ; ଗୋଟିଏ ପରିବାରର ୧ମୃତ, ୪ ଆହତ

ବୁର୍ଲା : ବୁର୍ଲା ସହର ପୁଣି ଅଶାନ୍ତ ହୋଇଛି। ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇ ଗୋଟିଏ ପରିବାରର ଜଣେ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଆହତ ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଭିମସାରରେ ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ପହଞ୍ଚି ଗୁରୁତରଙ୍କୁ ଭେଟିବା ସହିତ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରି ନଥିବା ଜଣାପଡିଛି। ତେବେ ଘଟଣାଟି ବୁର୍ଲା ସହରର ସେଣ୍ଟର ଲାଇନରେ ଘଟିଥିବା ବେଳେ ଭୂଜାଲି ତଥା ଠେଙ୍ଗା ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଆକ୍ରମଣରେ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ସେଣ୍ଟର ଲାଇନ କଲୋନୀର ବିଶୋଇ ପରିବାର ଉପରେ ଦୀର୍ଘ ୩ ବର୍ଷ ତଳରେ ହୋଇଥିବା କଳହକୁ ନେଇ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରେ ପିତବାଶ ବିଶୋଇ (୫୦), ତାଙ୍କ ସ୍ତ୍ରୀ ସଂଗୀତା ବିଶୋଇ (୪୭), ତାଙ୍କ ବଡ ପୁଅ ବୁଲୁ ବିଶୋଇ (୩୪), ସାନ ପୁଅ ମୁନା ବିଶୋଇ (୩୦) ଏବଂ ପିତବାଶଙ୍କ ଶଲା ନରେନ୍ଦ୍ର ଭାଣ୍ଡେକର (୫୨) ଗୁରୁତର ଭାବରେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ବୁଲୁଙ୍କ ମୃତ୍ୟୁ ଘଟିଥିବା ବେଳେ ମୁନା ଏବଂ ତାଙ୍କ ବାପା ପିତବାସଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି।

ସେମାନଙ୍କ କହିବା ଅନୁଯାୟୀ, ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଦଳବଦ୍ଧ ଭାବେ ପ୍ରାୟ ୩୦ ଜଣ ଯୁବକ ଆସି ଆଜି ରାତି ପ୍ରାୟ ୯ଟାରେ ସେଣ୍ଟର ଲାଇନସ୍ଥିତ ପତିବାସଙ୍କ ଘରେ ପହଞ୍ଚିଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରୁ କିଛିଜଣ ଏକ ମାରୁତି ସ୍ୱିପ୍ଟ ଡିଜାୟାର କାରରେ ଆସି ବୁଲୁଙ୍କ ଉପରେ କାର ଚଢାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାପରେ ପୂର୍ବଯୋଜନା ମୁତାବକ ଦୁର୍ବୃତ୍ତମାନେ ଖଣ୍ଡା, ଭୁଜାଲି ସମେତ ଅନ୍ୟାନ୍ୟ ମାରଣାସ୍ତ୍ରରେ ସମସ୍ତ ପରିବାର ସଦସ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ପରିବାରର ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସମସ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯିବା ପରେ ଦୁର୍ବୁତ୍ତ ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଆହତ ମାନଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଗୁରୁତର ରହିଥିବା ମୁନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

Comments are closed.