କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼: ୩ ପୁଲିସ ଆହତ, ୫ଅଟକ

ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ପାଲୁର ଗଡ଼ରେ ଗତ ରାତିରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ଲୋକମାନେ ପୁଲିସ ଉପରକୁ ଟେକା, ପଥର ମାଡ କରିବା ସହ ପୁଲିସର ଦୁଇଟି ଗାଡିକୁ ଭଙ୍ଗା ରୁଜା କରିଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଏହି ଘଟଣାରେ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ନେଇ ରମ୍ଭା ଥାନା ପକ୍ଷରୁ ସୂଚନା ମିଳିଛି। ଘଟଣା ଅଣଆୟତ୍ତ ହେବା ପରେ ରମ୍ଭା ଥାନା ଅଧିକାରୀ, ଗଞ୍ଜାମ ଥାନା ଅଧିକାରୀ, ଖଲିକୋଟ ଥାନା ଅଧିକାରୀ ସେଠାରେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇବା ସହ ପାଞ୍ଚ ଜଣକୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ଏନେଇ ଥାନାରେ ୩ ମକଦ୍ଦମା ରୁଜୁ ହୋଇଛି ବୋଲି ରମ୍ଭା ଥାନା ଅଧିକାରୀ ଦିପ୍ତି ରଞ୍ଜନ ବେହେରା କହିଛନ୍ତି। ଅଟକ ରହିଥିବା ପାଞ୍ଚ ଜଣକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପାଲୁର ଗଡ଼ରେ ଗତ ରାତ୍ର ଗୋଟିଏ ସମ୍ପ୍ରଦାୟର ଜଣେ ଝିଅକୁ ଅନ୍ୟ ଏକ ସମ୍ପ୍ରଦାୟର ଏକ ପୁଅ କମେଣ୍ଟ ମାରିବାକୁ ନେଇ ଝଗଡା ହୋଇଥିଲା। ଝିଅ ପକ୍ଷର ଗୋଷ୍ଠୀ ପୁଅକୁ ବାଡେଇବା ପାଇଁ ଯାଇଥିଲେ। ଫଳରେ ତାଙ୍କ ପକ୍ଷରୁ ପୁଲିସକୁ ଏନେଇ ଖବର ଦେଇଥିଲେ। ପୁଲିସ ପ୍ରଥମେ ଏକ ପ୍ରାଇଭେଟ ଗାଡି ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉତ୍ୟକ୍ତ ଲୋକମାନେ ପୁଲିସ ଉପରକୁ ପ୍ରବଳ ଟେକା, ପଥର ମାଡ଼ କରିଥିଲେ। ଯାହାଫଳରେ ପୁଲିସ ତିନି ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ପାଲୁର ଅଂଚଳରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ଲାଗିରହିଛି।

Comments are closed.