ସତ ଲୁଚାଇବାକୁ ସାମ୍ବାଦିକଙ୍କ ଉପରେ ଦାଉ

କାବୁଲ : ଦେଶର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଖୁବ୍ ଦାଉ ସାଧୁଛି ତାଲିବାନ। ସତ ଖବରର ପ୍ରସାର ପାଇଁ ସାହସ ବାନ୍ଧି ରାସ୍ତାକୁ ଓହ୍ଲାଇଥିବା ସାମ୍ବାଦିକଙ୍କୁ ତାଲିବାନୀମାନେ ଅକଥନୀୟ ନିର୍ଯାତନା ଦେଉଛନ୍ତି। ପୂର୍ବରୁ କେତେକଙ୍କୁ ହତ୍ୟା କରିଥିବାବେଳେ ଏବେ ମାଡ଼ ଓ ଗିରଫଦାରୀ ଚାଲିଛି। ଅନେକ ବିଦେଶୀ ସାମ୍ବାଦିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି ତ କେତେକଙ୍କୁ ଖୋଜିଖୋଜି ହତ୍ୟା କରାଯାଉଛି। ବୁଧବାର ୫ ସାମ୍ବାଦିକଙ୍କୁ ତାଲିବାନୀ ଗିରଫ କରିନେଇଥିଲାବେଳେ ଏହାର ୨୪ଘଣ୍ଟା ନ ପୂରୁଣୁ ଦୁଇ ଜଣଙ୍କୁ ନିର୍ମମ ମାଡ଼ ମାରିଛନ୍ତି। ‘ଲସ୍‌ଆଞ୍ଜେଲ୍ସ ଟାଇମ୍ସ’ର ଦୁଇ ପ୍ରତିନିଧି ତାକି ଦାÑବି ଓ ନେମାତୁଲ୍ଲା ନାକ୍‌ଦି ପଶ୍ଚିମ ଆଫଗାନିସ୍ତାନର କାର୍ତ-ଇ-ଚାର୍‌ଠାରେ ମହିଳାଙ୍କ ବିକ୍ଷୋଭ ସମ୍ପର୍କିତ ଖବର ସଂଗ୍ରହ ଓ ଚିତ୍ର ଉତ୍ତୋଳନ କରୁଥିବାବେଳେ ତାଲିବାନୀ ସେମାନଙ୍କୁ ଧରି ନେଇ ଏକ ଘର ଭିତରେ ପ୍ରବଳ ମାଡ଼ ମାରିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ଗୋଡ଼ ରଖିବା ସହ ଗୋଇଠା ମାରିବା ଓ ମୁହଁକୁ କଂକ୍ରିଟ ଚଟାଣରେ ଘୋଷାଡ଼ିଥିବା ଓ ଚାବୁକ୍‌ରେ ପିଟିଥିବା ଆହତ ସାମ୍ବାଦିକମାନେ କହିଛନ୍ତି। ତାଲିବାନୀ ସେମାନଙ୍କ ଫୋନ୍‌ ଓ କ୍ୟାମେରା ନେଇଯାଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟବଶତଃ ସେମାନଙ୍କୁ ତାଲିବାନୀ ଛାଡ଼ି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତାଲିବାନ ପକ୍ଷରୁ କୌଣସି ବିକ୍ଷୋଭ ସମାବେଶର ଚିତ୍ର ଉତ୍ତୋଳନ ନ କରିବାକୁ ସାମ୍ବାଦିକମାନଙ୍କୁ ପୂର୍ବରୁ ତାଗିଦା କରାଯାଇଥିଲା। ମହିଳା ସାମ୍ବାଦିକଙ୍କୁ ଘରେ ରହିବା ପାଇଁ ଧମକ ଦିଆଯାଇଥିଲା। ଏହି କାରଣରୁ ଦେଶରେ ପୂର୍ବରୁ ୭୦୦ରୁ ଅଧିକ ମହିଳା ସାମ୍ବାଦିକ ଥିବା​‌ବେ​‌େ​‌ଳ ଏବେ ଏମାନଙ୍କ ସଂଖ୍ୟା ୧୦୦ରୁ ତଳକୁ ଖସିଆସିଥିବା ଜଣାପଡ଼ିଛି।

Comments are closed.