ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ : ଛେଣ୍ଡିପଦା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଦେବକୀ ପ୍ରଧାନ (୬୫) ଓ ଆହତ ମହିଳା ହେଉଛନ୍ତି ଲବଙ୍ଗ ବେହେରା। ସେମାନେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦେବକୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କ୍ଷତିପୂରଣ ଦାବି କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲା ଛେଣ୍ଡିପଦା ଗ୍ରାମପଞ୍ଚାୟତର ତାଳବୁରୀ ସାହିର ଦେବକୀ ପ୍ରଧାନ, ଶାନ୍ତିଲତା ପ୍ରଧାନ ଓ ଲବଙ୍କ ବେହେରା ମଙ୍ଗଳବାର ସକାଳେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେହି ସମୟରେ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଦେବକୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଲବଙ୍ଗଙ୍କର ଡାହାଣ ହାତ ଭାଙ୍ଗି ଯାଇ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଲବଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ କରିଛନ୍ତି। ଖବର ପାଇ ଛେଣ୍ଡିପଦା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ସହାୟତା ନେଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।

 

Comments are closed.