ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଗାଡ଼ି ଲୁଟ୍‌ ; ୩ ଗିରଫ

ଆଠଗଡ଼଼ : ଆଠଗଡ଼଼ ଅଞ୍ଚଳରେ ସୋମବାରଏଟିଏମ ଗୁଡ଼ିକରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଏକ ଘରୋଇ ସିଏମଏସ କମ୍ପାନୀର ଗାଡ଼ିକୁ ୪ଜଣ ଡକାୟତ ବନ୍ଧୁକ ମୁନରେ ଲୁଟ୍‌ କରିନେଇ ଯାଇଥିଲେ। ଆଠଗଡ଼଼ ଷ୍ଟେଟ ବ୍ୟାଙ୍କରୁ ୩.୫୩ କୋଟି ଟଙ୍କା ନେଇ ବିଭିନ୍ନ ଏଟିଏମରେ ଭର୍ତ୍ତି କରିବାକୁ ଯାଉଥିବା ଏହି ଗାଡ଼ି ଆଠଗଡ଼଼ ଅଞ୍ଚଳରେ ଥିବା ୫ଟି ଏଟିଏମଏରେ ଟଙ୍କା ଭର୍ତ୍ତି କରିବା ପରେ ତିଗିରିଆ ଆଡ଼କୁ ଯାଉଥିଲା। ଦିନ ପ୍ରାୟ ୧.୩୦ରେ ଆଠଗଡ଼଼-ଖୁଣ୍ଟକଟା ମଧ୍ୟବର୍ତ୍ତୀ ମହୀଧରପୁର ନିକଟରେ ଏକ ବନ୍ଦ ପଡ଼ିଥିବା ପରିତ୍ୟକ୍ତ ହୋଟେଲ ବାରଣ୍ଡାରେ ସିଏମଏସର କର୍ମଚାରୀମାନେ ଖାଉଥିଲେ। ଗାଡ଼ିରେ ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମଚାରୀଙ୍କ ସହିତ ମୋଟ ୪ଜଣ ଥିଲେ। ସେମାନେ ଖାଉଥିବା ସମୟରେ ଏକ କାରରେ ୪ଜଣ ଦୁବୃର୍ତ୍ତ ସେଠାରେ ପହଞ୍ଚି ସିଏମଏସ କର୍ମଚାରୀଙ୍କ ଉପରେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ବନ୍ଧୁକଧାରୀ ସୁରକ୍ଷା କର୍ମୀ ସର୍ବେଶ୍ୱର ସାହୁ ଓ ଅନ୍ୟଜଣେ କର୍ମଚାରୀ ପତିତ ନାୟକ ଭୁଜାଲି ଚୋଟରେ ଗୁରୁତର ଆହତ ହୋଇଥିଲେ। ଅନ୍ୟ ଦୁଇଜଣ କର୍ମଚାରୀ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇବାରୁ ଆକ୍ରମଣରୁ ବର୍ତ୍ତି ଯାଇଥିଲେ। କାରରେ ଆସିଥିବା ୪ଜଣ ଡକାୟତ ସିଏମଏସର ଟଙ୍କା ଭର୍ତ୍ତି ଗାଡ଼ିଟିକୁ ନେଇ ସେଠାରୁ ଚମ୍ପଟ ମାରିଥିଲେ। କର୍ମଚାରୀଙ୍କ ଠାରୁ ସୂଚନା ପାଇ ଆଠଗଡ଼଼ ଥାନା ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଥିଲେ। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆଠଗଡ଼଼ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା ଢେଙ୍କାନାଳ ପୁଲିସ ସହାୟତାରେ ଅନୁସନ୍ଧାନ କରିବାବେଳେ ଶଙ୍କରପୁର ନିକଟ ଏକ ପେଟ୍ରୋଲ ପମ୍ପରୁ ସିଏସଏସର ଗାଡ଼ିଟିକୁ ଉଦ୍ଧାର କରିଥିଲେ। ଡକାୟତମାନେ ଟଙ୍କା ବାକ୍ସକୁ କାରରେ ଭର୍ତ୍ତିକରି ସିଏମଏସ ଗାଡ଼ିକୁ ସେଠାରେ ଛାଡ଼ି ପଳାଇଥିଲେ। ଆଠଗଡ଼଼ ଓ ଢେଙ୍କାନାଳ ପୁଲିସ ବିଭିନ୍ନ ଅଞ୍ଚଳରେ ଛାନ୍‍ଭିନ୍ନ କରିବାବେଳେ ଡକାୟତ ଘଟଣାର ମାତ୍ର ଦୁଇତିନି ଘଣ୍ଟା ମଧ୍ୟରେ ଢେଙ୍କାନାଳ ସଦର ଥାନା ଭୋଜଦେଇପୁର ଜଙ୍ଗଲ ରାସ୍ତାରୁ କାରଟିକୁ ଧରିଥିଲେ। ସେଥିରୁ ଟଙ୍କା ଭର୍ତ୍ତି ବାକ୍ସଟିକୁ ମଧ୍ୟ ଜବତ କରିଥିଲେ। ଏଥିରେ ପ୍ରାୟ ଦେଢ଼କୋଟି ଟଙ୍କା ଥିଲା ା ଏଥି ସହିତ ସେହି ଗାଡ଼ିରେ ଥିବା ୩ଜଣ ଡକାୟତଙ୍କୁ କାବୁ କରିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲା। ଧରାଯାଇଥିବା ଡକାୟତ ଆଠଗଡ଼଼, ବୌଦ୍ଧ ଓ ନିଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଆଠଗଡ଼଼ ଓ ଢେଙ୍କାନାଳ ପୁଲିସ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି ା ଫେରାର ହୋଇଯାଇଥିବା ୪ର୍ଥ ଅଭିଯୁକ୍ତକୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି।

Comments are closed.