ହକି ଖେଳାଳିରୁ ଆଥ୍‌ଲେଟ୍‌ – ଧନମତୀ ଖେସ

କଟକ: ହକି ଖେଳିବାକୁ ଆଗ୍ରହ ଥିଲା, କ୍ରୀଡ଼ା ଛାତ୍ରାବାସରେ ସୁଯୋଗ ନମିଳିବାରୁ ଆଥ୍‌ଲେଟ୍‌କୁ ଆପଣାଇଲେ। ଓଡ଼ିଶାରେ ଜାଭେଲିନ୍ ଥ୍ରୋର ଲୋକପ୍ରିୟତା ନଥିଲେ ମଧ୍ୟ ଜଣେ ଜାଭେଲିନ୍‌ ଫିଙ୍ଗାଳି ଭାବେ ନୂଆ ଆଶା ସଞ୍ଚାର କରିଛନ୍ତି ଆଦିବାସୀ ବାଳିକା ଧନମତୀ ଖେସ। ଜାତୀୟ ଜୁନିୟର ଓ ତୃତୀୟ ଖେଲୋ ଇଣ୍ଡିଆ ୟୁଥ୍‌ କ୍ରୀଡ଼ାରେ ପଦକ ବିଜୟୀ ହୋଇ ନୂଆ ପ୍ରତିଭା ଭାବେ ଉଭା ହୋଇଛନ୍ତି ଧନମତୀ।

ସୁନ୍ଦରଗଡ଼ ଜିଲା କୁସୁମଡେଗୀ ଗ୍ରାମର କୃଷକ ଭାଦୁ ଖେସ ଓ ମା’ ସୋମାରୀ ଖେସଙ୍କ ଏକମାତ୍ର କନ୍ୟା ଧନମତୀ ପିଲାବେଳୁ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ। ଧନମତୀ ପ୍ରଥମେ ଜଣେ ହକି ଖେଳାଳି ହେବାକୁ ମନ ବଳାଇଥିଲେ। ହକିରେ ସୁଯୋଗ ନ ମିଳିବାରୁ ଆଥଲେଟରେ ମନ ଦେଇଥିଲେ। ୨୦୧୫ରେ କଟକ ସାଇ ହଷ୍ଟେଲରେ ଯୋଗ ଦେଇଥିଲେ। ୨୦୧୮ରେ ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ପୂର୍ବାଞ୍ଚଳ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ। ୨୦୧୯ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଆୟୋଜିତ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌​‌େ​‌ର ରୌପ୍ୟ, ୨୦୨୦ରେ ଆସାମର ଗୁଆହାଟୀଠାରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ୟୁଥ୍‌ କ୍ରୀଡ଼ାର ୧୭ ବର୍ଷରୁ କମ୍‌ ବର୍ଗରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।

ଧନମତୀ କୁହନ୍ତି, ପିଲାବେଳୁ ହକି ଖେଳୁଥିଲେ ମଧ୍ୟ ସୁଯୋଗ ନମିଳିବାରୁ ଜାଭେଲିନ୍‌କୁ ଆପଣାଇଥିଲି। ଏବେ ମୁଁ ମୋ ଲକ୍ଷ୍ୟ ପଥରେ ଅଗ୍ରସର ହେବା ନେଇ ପ୍ରଚେଷ୍ଟା ଜାରି ରଖିଛି। ସାଇ କ୍ରୀଡ଼ା ଛାତ୍ରାବାସରେ ପୁଷ୍ପା କୁମାରୀ ରାଓଙ୍କ ପ୍ରଶିକ୍ଷଣରେ ଆଗକୁ ବଢିଛି। କିଟ୍‌ ପୂର୍ବାଞ୍ଚଳ ଜାତୀୟ ଦୌଡ଼କୁଦ ଶିବିରରେ ପ୍ରଶିକ୍ଷଣ ପରେ ବହୁତ ଉନ୍ନତି କରିଛି। କୋଚ ସଞ୍ଜୟ ଗଡ଼ନାୟକଙ୍କ ପ୍ରଶିକ୍ଷଣ ଓ ଫିଜିଓ ଶୋଭେନ୍‌ କୁମାରଙ୍କ ଶାରୀରିକ ସୁସ୍ଥତା ରହିବା ନେଇ ଟିପ୍ପ ମୋତେ ବହୁତ ସହାୟକ ହୋଇଛି। ଯାହା ଫଳରେ ପୂର୍ବରୁ ରହିଥିବା ଦୂରତ୍ବକୁ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛି ବୋଲି ଧନମତୀ କହିଛନ୍ତି।

Comments are closed.