ଡାଳୁଆରେ ଅବକାରୀ ଚଢାଉ ; ପୋଚ ଓ ମଦ ଜବତ 

ଆଠଗଡ :  ଆଠଗଡ ଅବକାରୀ କଟକ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ପ୍ଲାଇଙ୍ଗ ସ୍କ୍ୱାର୍ଡ ମଙ୍ଗଳବାର ସକାଳେ ମିଳିତ ଭାବେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସଂଜୀତ ବାର୍ଲା, ପ୍ଲାଇଙ୍ଗ ସ୍କ୍ୱାର୍ଡ ନିରୀକ୍ଷକ କେଶବ ଚନ୍ଦ୍ର ଦାସ ଓ ସରୋଜ କୁମାର ପରିଡାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢାଉ ସମୟରେ ଡାଳୁଆର ଘଞ୍ଚ ଜଙ୍ଗଲ ଓ ନାଳ କଡ ବୁଦା ଜଙ୍ଗଲ ମଧ୍ୟରେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୫୧୦୦ଲିଟର ଗୁଡପୋଚ ଓ ସଦ୍ୟ ପ୍ରସ୍ତୁତ ୪୮୫ଲିଟର ଦେଶୀମଦ ଜବତ କରାଯାଇଥିଲା।

ଏଥିରେ ସଂପୃକ୍ତ ଡାଲୁଆ ଗ୍ରାମର ଗଗନ ବିହାରୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଆଠଗଡ ଅବକାରୀ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜଙ୍କ ସମେତ ଅନ୍ୟ କର୍ମଚାରୀ, ନରସିଂହପୁର ଓ ବାଙ୍କୀର ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.