ବିଦ୍ୟୁତ ସମସ୍ୟା ସୁଧାରିବାକୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ଆଠଗଡ : ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଦ୍ୟୁତ ଯୋଗାଣ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଘନ ଘନ ବିଦ୍ୟୁତ୍‍ କାଟ ଏବଂ ସାମାନ୍ୟ ବର୍ଷା, ପବନ କିମ୍ବା ଘଡଘଡି ହେଲେ ୮-୧୦ଘଣ୍ଟା ଧରି ବିଦ୍ୟୁତ୍‍ ସରବରାହ ବ୍ୟାହତ ହେଉଥିବାରୁ ଏଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ବିଦ୍ୟୁତ୍‍ ସମସ୍ୟାର ସ୍ଥାୟୀ ସମାଧାନ କରିବା ଲାଗି ଆଠଗଡ ଯୁବ ସଂଗଠକ ଅଭୟ କୁମାର ବାରିକ ତାଙ୍କ ସହଯୋଗୀଙ୍କ ସହିତ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଟକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସର୍ବ ବୃହତ ଉପଖଣ୍ଡ ଆଠଗଡ ସଦର ମହକୁମା ଏବଂ ସମଗ୍ର ବ୍ଲକ ପାଇଁ ଏଠାରୁ ୨୫କିମି ଦୂରରେ ନୂଆପାଟଣାଠାରେ ପ୍ରତିଷ୍ଠିତ ଏକ ମାତ୍ର ୧୩୨କେଭି ଗ୍ରୀଡ ହିଁ ଭରସା। ଏହି ୨୫କିମି ବାଟ ୩୩ କେଭି ଲାଇନ ମାଧ୍ୟମରେ ଆଠଗଡ ସହରର ସବ୍ ଷ୍ଟେସନକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ତେବେ ଏହି ୩୩କେଭି ଲାଇନରେ ମାସକୁ ୧୫ଦିନ ଗୁରୁତର ତୃଟି ଯୋଗୁଁ ବିଦ୍ୟୁତ୍‍ ସରବରାହ ବାଧାପ୍ରାପ୍ତ ହେଉଛି। ତାଛଡା ସାମାନ୍ୟ ବର୍ଷା ପବନ ଓ ଘଡଘଡି ହେଲେ ଏହି ୩୩କେଭି ଲାଇନରେ ଥିବା ଖୁଣ୍ଟ ସବୁର ଶଙ୍ଖ ଫାଟିଯିବା ଏକ ନିୟମିତ ଘଟଣା। ଏଭଳି ପରିସ୍ଥିତିରେ ୮-୧୦ଘଣ୍ଟା ମରାମତି ପାଇଁ ସମୟ ଲାଗୁଥିବାରୁ ବିଦ୍ୟୁତ ଯୋଗାଣରୁ ବଞ୍ଚିତ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗିବା ଦେଖାଯାଇଥାଏ। ୩୦ବର୍ଷ ଧରି ଏପରି ସମସ୍ୟା ଲାଗି ରହିଥିବାବେଳେ ଏହାର ପ୍ରତିକାର କିମ୍ବା ସ୍ଥାୟୀ ସମାଧାନ ଆଜି ଯାଏଁ ହୋଇପାରିଲା ନାହିଁ। ଖୁଣ୍ଟୁଣୀଠାରେ ଆଉ ଏକ ଗ୍ରୀଡ ଏକ ବର୍ଷରୁ ଅଧିକ ସମୟ ହେଲା ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଆଠଗଡରୁ ଉକ୍ତ ଗ୍ରୀଡକୁ ମାତ୍ର ୧୨କିମି ଖୁଣ୍ଟପକାଇ ତାର ଟଣାଯାଇ ପାରିଲା ନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅପାରଗତା ଯୋଗୁଁ ଏଠାରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇପାରୁନାହିଁ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଠଗଡବାସୀ ବିଦ୍ୟୁତ୍‍ ସମସ୍ୟାରେ ଯୁଝି ହେଉଛନ୍ତି ବୋଲି ଶ୍ରୀ ବାରିକ ଅଭିଯୋଗ କରିଥିଲେ।

Comments are closed.