ଲଗାଣ ବର୍ଷା ପରେ ଆଠଗଡ ଅଞ୍ଚଳରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ

ଆଠଗଡ – ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ରାସ୍ତା ସମେତ ସମସ୍ତ ମୁଖ୍ୟରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହେବା ଦ୍ୱାରା ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ଖାଲଖମା ଯୋଗୁଁ ଦୁର୍ଘଟଣା ଘଟି ଗାଡିଚାଳକ ଓ ପଥଚାରୀ ହତାହତ ହେଉଥିବା ଦେଖିବାକୁ ମିଳୁଛି । ପୁରୁଣା କଟକ ସମ୍ବଲପୁର ରାସ୍ତାର ଅଧିକାଂଶ ଅଞ୍ଚଳ ବଡ ବଡ ଖାଲଖମା ହେବାଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି । ପୁରୁଣା କଟକ ସମ୍ବଲପୁର ରାସ୍ତାର ବୀରକିଶୋରପୁର ଠାରୁ ଶଙ୍କରପୁର ମଧ୍ୟରେ ନଡୁଆପଡା ବଜାର ଓ ଆଙ୍କୁଲା ଗ୍ରାମକୁ ଯିବା ରାସ୍ତାରେ ଏତେ ବଡ ବଡ ଖାଲ ହୋଇଛି ଯେ ଗାଡିମଟର ଖାଲରେ ପଡି ଅଚଳ ହୋଇପଡୁଛି । ଏପରିକି ବାଇକଚାଳକ ରାତିରେ ଯିବାଆସିବା ବେଳେ ସେ ସବୁ ଖାଲ ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଉକ୍ତ ରାସ୍ତାର ଚାନ୍ଦବାଲିଛକ ଠାରୁ ଧବଳେଶ୍ୱର ପର୍ଯ୍ୟନ୍ତ ଅନେକ ସ୍ଥାନରେ ପିଚୁ ଉଠି ବଡ ବଡ ଖାଲ ସୃଷ୍ଟି ହୋଇଛି । ଝରଣଛକ ଠାରୁ କନ୍ତୋଲ ପର୍ଯ୍ୟନ୍ତ ରାସ୍ତାରେ, ଦହିସରା ଠାରୁ ମାଧବପୁର, ଘଣ୍ଟିଖାଲ ଗଡା, କଖଡି ଏବଂ ମଞ୍ଚେଶ୍ୱର ଓ ଧବଳେଶ୍ୱର ଅଞ୍ଚଳରେ ରାସ୍ତା ପୁରାପୁରି ବପର୍ଯ୍ୟସ୍ତ ହୋଇପଡିଛି । ଆଗାମୀ ଦଶହରା ଓ ଧବଳେଶ୍ୱରର ବଡଓଷା ଯାତ୍ରାକୁ ଲକ୍ଷ୍ୟରେ ରଖି ଉକ୍ତ ରାସ୍ତାକୁ ଉପଯୁକ୍ତ ଭାବେ ମରାମତି କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଏଥି ସହିତ ଆଠଗଡ ସହର ମଧ୍ୟରେ ମୁଖ୍ୟରାସ୍ତା, ଆଠଗଡ ଠାରୁ ମୁଣ୍ଡଳୀ ରାସ୍ତା ଏବଂ ଆଠଗଡ ଠାରୁ ତିଗିରିଆ ରାସ୍ତାରେ ମଧ୍ୟ ବହୁ ସ୍ଥାନରେ ପିଚୁ ଉଠି ବଡ ବଡ ଖାଲ ସୃଷ୍ଟି ହୋଇଛି ।

ଲଗାଣ ବର୍ଷା ଯୋଗୁଁ ରାସ୍ତା ଖରାପ ହେବା ସହିତ ପୂର୍ବରୁ ଟିକିଏ ପିଚୁ ଉଠିଥିବା ସ୍ଥାନରେ ବଡ ଖାଲଖମା ସୃଷ୍ଟି ହୋଇଛି । ଆଠଗଡ-ମୁଣ୍ଡଳି ଏବଂ ଆଠଗଡ ବାଟ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଦୈନିକ ହଜାର ହଜାର ଛୋଟ ଓ ବଡ ଯାନବାହାନ ଚଳାଚଳ କରିବା ଫଳରେ ଖାଲଖମା ଆହୁରି ଅଧିକ ଗାତ ହୋଇ ଶୋଚନୀୟ ହୋଇପଡୁଛି । ଦଶହରା ପ୍ରସ୍ତୁତି ବୈଠକରେ ରାସ୍ତାଘାଟର ଏପରି ଶୋଚନୀୟ ଅବସ୍ଥା ନେଇ ଆଲୋଚନା କରାଯାଇଥିଲା । ତେବେ ଉକ୍ତ ବୈଠକରେ କେବଳ ଆଠଗଡ ସହର ମଧ୍ୟରେ ଥିବା ରାସ୍ତାଗୁଡିକର ମରାମତି ପାଇଁ ଉପଜିଲ୍ଲାପାଳ ପୂର୍ତ୍ତବିଭାଗ ଓ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ପୂର୍ବରୁ କେବଳ ସହରାଞ୍ଚଳ ନୁହେଁ ବରଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟରାସ୍ତା ଓ ସହର ମଧ୍ୟରେ ରହିଥିବା ରାସ୍ତା ଗୁଡିକର ମରାମତି ଓ ନବୀକରଣ ପୂର୍ତ୍ତବିଭାଗ ପକ୍ଷରୁ ଯୁଦ୍ଧକାଳିନ ଭିତ୍ତିରେ କରିବା ଲାଗି ଦାବି ହେଉଛି ।

Comments are closed.