ଅଟ୍ଟାଳି ଜଗନ୍ନାଥଙ୍କ ଘୋଷଯାତ୍ରା ; ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଆଠଗଡ : ଆଠଗଡ ଗଡଜାତର ପ୍ରସିଦ୍ଧ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଛି । ତେବେ ନୀତି ବିଳମ୍ବ ଯୋଗୁଁ ରଥଟଣା ବିଳମ୍ବରେ ଅର୍ଥାତ ପ୍ରାୟ ୫ଟାରେ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୭.୨୦ମିନିଟରେ ପହଞ୍ଚିଥିଲା। ଅପରାହ୍ନ ୨ଟାରେ ପ୍ରବଳ ଘଡଘଡି ସହ ବର୍ଷା ହେବାରୁ ନୀତିକାନ୍ତି ଓ ପହଣ୍ଡି ବିଳମ୍ବରେ ଆରମ୍ଭ ହୋଇଥିଲା । ଗୋଟିପହଣ୍ଡିରେ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ଏବଂ ଜଗନ୍ନାଥ ବଲ୍ଲଭ ମଠର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ କରିବା ପରେ ରଥ ଉପରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଛେରାପହଁରା ନୀତି ସଂପନ୍ନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା।

ଅଟ୍ଟାଳି ଜଗନ୍ନାଥଙ୍କ ରଥକୁ ସବୁବର୍ଗର ଭକ୍ତ ଏବଂ ଜଗନ୍ନାଥ ବଲ୍ଲଭମଠର ସାନରଥକୁ କେବଳ ମହିଳା ଭକ୍ତମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ଟାଣି ନେଇଥିଲେ। ଥାନା ସମ୍ମୁଖ ମାଉସୀ ମା ମନ୍ଦିର ବା ମା ବାଉତୀଙ୍କ ମନ୍ଦିରରେ ରଥ ପହଞ୍ଚିବା ପରେ ସେଠାରେ ଶ୍ରୀ ଜୀଉଙ୍କୁ ପୋଡପିଠା ଲାଗି ହୋଇଥିଲା। ସେହିପରି ରଘୁନାଥ ମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ବିମାନରୂଢ ହନୁମାନ ଜୀଉ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଥ ଚତୁଃପାଶ୍ୱର୍ରେ ୩ଥର ପ୍ରଦକ୍ଷିଣ କରିବା ପରେ ମନ୍ଦିର ବାହୁଡିବା ପରେ ପୁଣି ରଥଟଣା ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। କରୋନା ମହାମାରୀ ଲାଗି ଗତ ଦୁଇବର୍ଷ ଧରି ଆଠଗଡରେ ରଥଟଣା ହୋଇନଥିବା ବେଳେ ରଥ ଟାଣିବା ଏବଂ ଘୋଷଯାତ୍ରା ଦେଖିବା ଲାଗି ପ୍ରାୟ ୩୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ଏସଡିପିଓ ବିଜୟ କୁମାର ବିସି ଓ ଆଇଆଇସି ବାମଦେବ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରବଳ ଗରମ ଗୁଳୁଗୁଳି ହେଉଥିବାରୁ ଦମକଳ ବାହିନୀ ପକ୍ଷରୁ ରଥଟାଣୁଥିବା ଶ୍ରଦ୍ଧାଳୁଙ୍କ ଉପରକୁ ପାଣି ସିଞ୍ଚନ କରାଯାଇଥିଲା। ବିଶ୍ୱନାଥ ବିଦ୍ୟାପୀଠ ଏନସିସି, ଗୋପବନ୍ଧୁ ବିଜ୍ଞାନ କଲେଜ ଏନସିସି ଓ ସ୍କାଉଟ ବାହିନୀ, ଏନଏସଏସ ସ୍ୱେଚ୍ଛାସେବୀମାନେ ଭିଡ ନିୟନ୍ତ୍ରଣ ସହିତ ଶ୍ରଦ୍ଧାଳୁଙ୍କ ସେବାରେ ନିୟୋଜିତ ହୋଇଥିଲେ। ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୭ ମଣ୍ଡଳ ସଂକୀର୍ତ୍ତନ ଦଳ ରଥ ସମ୍ମୁଖରେ ସଂକୀର୍ତ୍ତନ ପରିବେଷଣ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନ୍ୟ ଦଳୀୟ କର୍ମୀଙ୍କ ସହ ମିଶି ରଥ ଟାଣିଥିଲା। ସେହିପରି ବିଜେଡି ଯୁବ ସଂଗଠକ ଅଭୟ କୁମାର ବାରିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜଗନ୍ନାଥଙ୍କ ଫଟୋଚିତ୍ର ଓ ଧଳା ଗାମୁଛା ବାଣ୍ଟୁଥିବା ଦେଖାଯାଇଥିଲା। ତେବେ ବିଳମ୍ବିତ ରଥଟଣା ଏବଂ ଅନ୍ଧାର ହେବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବାକୁ ନେଇ ବହୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ମାନସ ପଣ୍ଡା ଏବଂ ଅନ୍ୟ ପ୍ରବକ୍ତାମାନେ ରଥଗଡା ନିକଟରେ ଅସ୍ଥାୟୀ ସୂଚନା କେନ୍ଦ୍ରରେ ଧାରା ବିବରଣୀ ପ୍ରଦାନ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଙ୍କ ପରିଚାଳନାରେ ବଡପଣ୍ଡା ଶରତ କୁମାର ପଣ୍ଡା, ଶୁଶାନ୍ତ କୁମାର ପଣ୍ଡା ଓ ଅନ୍ୟ ସେବାୟତ ମାନେ ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତିରେ ସହଯୋଗ କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥ ସେବାସଂସ୍ଥା ପକ୍ଷରୁ ଅଧରପଣା ଓ ଶହ ଶହ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Comments are closed.