ଆଠଗଡ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ : ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଆଲୋଚନା

ଆଠଗଡ :  ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଅଧିବେଶନ ଶୁକ୍ରବାର ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଆଠଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଏବଂ ବିଭିନ୍ନ ପଞ୍ଚାୟତ ଅଧିନ ଗ୍ରାମଗୁଡିକରେ ବର୍ତ୍ତମାନ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ଓ ତାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଓ ସଦସ୍ୟା ଶାନ୍ତିଲତା ବେହେରା, ସହକାରୀ ଯନ୍ତ୍ରୀ ସୁବାସ ରାଉତଙ୍କ ସମେତ ସମସ୍ତ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ଯୋଗଦେଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ କାଳୁଚରଣ ବେହେରା, ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଓ ତାର ସମାଧାନ ସହିତ ଏବେ କିପରି ପାନୀୟ ଜଳ ଯୋଗାଣ ହେଉଛି ସେ ସଂପର୍କରେ ଆଲୋକପାତ କରିଥିଲେ। ଗ୍ରାମପଞ୍ଚାୟତ ଗୁଡିକରେ ଆବଶ୍ୟକସ୍ଥଳେ କେନ୍ଦ୍ର/ରାଜ୍ୟ ଅର୍ଥ କମିଶନ ଅନୁଦାନକୁ ବିନିଯୋଗ କରି ନୂତନ ନଳକୂପ ଖନନ କରିପାରିବେ ବୋଲି ସେମାନଙ୍କୁ ବ୍ଲକ ଉପାଧ୍ୟକ୍ଷ ଓ ମନ୍ତ୍ରୀଙ୍କ ପ୍ରତିନିଧି ପରାମର୍ଶ ଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ଆଠଗଡର ୩୪ଟି ପଞ୍ଚାୟତକୁ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ୩୪ଟି ପଞ୍ଚାୟତ ମଧ୍ୟରୁ ୩୩ଟିରେ ଏଥି ନିମନ୍ତ ଜମି ଅଧିଗ୍ରହଣ ଶେଷ ହୋଇଛି, ବିଶୋଧନାଗାର ପାଇଁ ଜମି ଚିହ୍ନଟ, ଗଭୀର କୂପ ପାଇଁ ନଦୀରେ ସ୍ଥାନ ଚିହ୍ନଟ, ଶୁଦ୍ଧ ପାନୀୟ ଜଳ ସଂରକ୍ଷଣ ପାଇଁ ଭଣ୍ଡାର ଲାଗି ଜମି ଚିହ୍ନଟ ଓ ମୂର୍ତ୍ତିକା ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଖୁବ୍‍ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ବୋଲି ପ୍ରକଳ୍ପ ଅଧିକାରୀ କହିଥିଲେ। ଏତଦ୍‍ବ୍ୟତୀତ ଏହି ବୈଠକରେ ଯୋଗଦେଇଥିବା ବ୍ଲକ ମଙ୍ଗଳ ଅଧିକାରୀ ଅନୁସୂଚିତ ଜାତି ବର୍ଗର ୧୮-୩୦ବର୍ଷ ବୟସ୍କ, ଅଷ୍ଟମ ଏବଂ ମାଟ୍ରିକ ପାସ କରିଥିବା ପିଲାମାନଙ୍କୁ ଚିହ୍ନଟ କରି ଦକ୍ଷତା ଅଭିବୃଦ୍ଧି ତାଲିମ ଦେଇ ବିଭିନ୍ନ ଶିଳ୍ପସଂସ୍ଥାରେ ନିୟୋଜନ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଥିଲେ। ସହକାରୀ ଯନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ ୨ ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ବୈଠକ ପରିଚାଳନାରେ ସହଯୋଗ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.