ସାପ କବଳରୁ ମାଲିକକୁ ବଞ୍ଚାଇ ଜୀବନ ହାରିଲା ପୋଷା କୁକୁର

ଆଠଗଡ: ନିଜ ମାଲିକକୁ ସାପ କବଳରୁ ବଞ୍ଚାଇ ସାପ ସହ ଲଢେଇ କରିଥିବା ପୋଷା କୁକୁର ଜୀବନ ହାରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡରେ। ଗୁରୁବାର ରାତିରେ ସ୍ଥାନୀୟ ଅଶୋକନଗର ବାସିନ୍ଦା ପବିତ୍ର କୁମାର ମହାପାତ୍ରଙ୍କ ଘରେ ଏକ ୪ଫୁଟର ବୋଡା ସାପ ପଶୁଥିବା ଦେଖି ତାଙ୍କ ପୋଷାକୁକୁର ସାପର ବାଟ ଓଗାଳି ଥିଲା। ସାପ ସହ ଲଢେଇ କରୁଥିବା ସମୟରେ ତା ଭୁକିବା ଶବ୍ଦ ଶୁଣି ପବିତ୍ର ବାବୁ ଆସିଥିଲେ ମଧ୍ୟ ସାପ ଭୟରେ କୁକୁରକୁ ରକ୍ଷା କରିପାରିନଥିଲେ। ତାଙ୍କଠାରୁ ସୂଚନା ପାଇ ଆଠଗଡର ସାପଧରାଳି ତଥା ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଶାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବେ ଆହତ ପୋଷାକୁକୁରକୁ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରିଥିଲେ ମଧ୍ୟ ସେ ମରିଯାଇଥିଲା। ସାପ କବଳରୁ କୁକୁରର ମାଲିକଙ୍କ ଜୀବନ ରକ୍ଷା ଭଳି ଘଟଣା ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.