୭୫ତମ ସ୍ୱାଧୀନତା ଦିବସ ଲାଗି ପ୍ରସ୍ତୁତି ବୈଠକ

ଆଠଗଡ: ଆଠଗଡରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଗୁରୁବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସ୍ୱାଧିନତା ଦିବସ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବ ନିରାଡମ୍ବର ଭାବେ ପାଳନ କରିବା ଉପରେ ସହମତି ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀଙ୍କର ପ୍ୟାରେଡ ଅନୁଷ୍ଠିତ ହେବନାହିଁ। କେବଳ ପୁଲିସ ଫୌଜ ଉପସ୍ଥିତ ରହି ଜାତୀୟ ପତାକାକୁ ଅଭିବାଦନ ଜଣାଇବେ।

ସକାଳ ୯.୧୫ମିନିଟରେ ସ୍ଥାନୀୟ ମହୋତ୍ସବ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବେ। ସକାଳ ୪ଟାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପ୍ରସାର କରାଯିବ। ୭.୩୦ମିନିଟରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ, ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ମାଲ୍ୟାର୍ପଣ କରିବେ। ଏଥିସହିତ ସ୍ୱାଧୀନତା ଦିବସ ଅବସରରେ ମେଧାବୀ ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଏବଂ କେତେକ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଚୟନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ବୈଠକରେ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡା, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଓକିଲ ସଂଘର ସଭାପତି ସତ୍ୟେନ ପଣ୍ଡା, ସଂପାଦକ ବନବିହାରୀ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଡିଓ ଅରୁଣ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ତାପସ କୁମାର ଓଝା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.