ବିଜୁ ଯୁବ-ଛାତ୍ର ଜନତା ପକ୍ଷରୁ ବିଶୋଧନ ଓ ତୁଣ୍ଡି ବଣ୍ଟନ

ଆଠଗଡ: ରାଜ୍ୟସରକାର ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ପ୍ରକ୍ରିୟା ଆରମ୍ଭ କରି ପ୍ରଥମେ ୧୦ମ ଓ ୧୨ଶ ଶ୍ରେଣୀରେ ଶିକ୍ଷାଦାନ ଆରମ୍ଭ କରିଥିବାରୁ ବିଜୁ ଯୁବ ଓ ଛାତ୍ରଜନତା ଦଳ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବ୍ୟାପକ ବିଶୋଧନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ତୁଣ୍ଡିବଣ୍ଟନ କରାଯାଇଛି। ଆଠଗଡ ବିଧାୟକ ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ସହାୟତାରେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଆଠଗଡର ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ, ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିସର, ଶ୍ରେଣୀକକ୍ଷ ଗୁଡିକୁ ବିଶୋଧନ କରାଯାଇଥିଲା।

ଏଥି ସହିତ ଛାତ୍ରଛାତ୍ରୀଙ୍କୁ ତୁଣ୍ଡି ବଣ୍ଟନ କରିବା ସଙ୍ଗେସଙ୍ଗେ କରୋନା ସଂକ୍ରମଣର ଭୟାବହତା ସଂପର୍କରେ ଅବଗତ କରାଇ ଏଥିରୁ ରକ୍ଷା ପାଇଁ ବ୍ୟାପକ ସଚେତନତା ଅବଲମ୍ବନ କରିବା ପାଇଁ ଦଳୀୟ କର୍ମୀମାନେ ପରାମର୍ଶ ଦେଇଥିଲେ। ବିଜୁ ଛାତ୍ର ଜନତାର କଟକ ଜିଲ୍ଲା ସାଧାରଣ ସଂପାଦକ ଶୁଭେନ୍ଦୁ ବେଉରା ଓ ବିଜୁ ଯୁବ ଜନତା କଟକ ଜିଲ୍ଲା ସଂପାଦକ ଅଶୋକ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଧନେଶ୍ୱର ବେହେରା, ରାଜେଶ ମଲ୍ଲିକ, ବିଶ୍ୱଜିତ୍‍ ମାଝି, ତୋଫାନ ସାମଲ, ମହମ୍ମଦ ଖଲିଦ୍‍, ରିପୁ ସାମଲ, ସ୍ୱରାଜ ଦାସ ପ୍ରମୁଖ ସହଯୋଗ କରିଥିଲେ।

Comments are closed.