ବିଜେପି ମହିଳା ମୋର୍ଚ୍ଚାର ସାଂଗଠନିକ ବୈଠକ

ଆଠଗଡ: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ଆଠଗଡ-ତିଗିରିଆ ନିର୍ବାଚନ ମଣ୍ଡଳସ୍ତରୀୟ ସାଂଗଠନିକ ବୈଠକ ମଙ୍ଗଳବାର ଗାନ୍ଧିମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଯାଜ୍ଞସେନୀ ଜେନାଙ୍କ ପୌରୋହିତ୍ୟରେ ଏବଂ ଆଠଗଡର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ ନିର୍ବାଚନ ମଣ୍ଡଳୀର ୫୪ଟି ପଞ୍ଚାୟତର ମହିଳା ଏହି ବୈଠକରେ ଯୋଗଦେଇ ଦଳର ସାଂଗଠନିକ ସ୍ଥିତିକୁ ତୃଣମୂଳସ୍ତରରେ କିପରି ଅଧିକ ମଜବୁତ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ।

ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜେନା ଦଳର ଆଭିମୁଖ୍ୟ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ୍‍ସ୍ତରରେ ମହିଳାମାନଙ୍କୁ ସଂଗଠିତ କରିବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରେରଣା ଦେଇଥିଲେ। ଆଠଗଡରେ ୩୦ବର୍ଷ ଧରି ବିଜେଡିର ବିଧାୟକ ରହିଥିବାବେଳେ ଏଠାରେ କୌଣସି ଆଖିଦୃଷ୍ଟିଆ ବିକାଶମୂଳକ କାର୍ଯ୍ୟ ହୋଇନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ତ କ୍ଷେତ୍ରରେ ଆଠଗଡ ପଛୁଆ ହୋଇ ରହିଛି ବୋଲି ଶ୍ରୀମତୀ ଜେନା ପ୍ରକାଶ କରିଥିଲେ। ଏହି ବୈଠକରେ ୭ଟି ମଣ୍ଡଳର ନାରୀନେତ୍ରୀମାନଙ୍କ ସମେତ ପଦ୍ମିନୀ ପୁହାଣ, ମମତା ନାୟକ, ପ୍ରତିମା ରାଉତ, ପ୍ରତିମା ପ୍ରଧାନ, କବିତା ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.