ଉପଜିଲାପାଳ ଓ ତହସିଲର ୧୦ କର୍ମଚାରୀଙ୍କ ସମେତ ୧୧ସଂକ୍ରମିତ

ଆଠଗଡ: ଆଠଗଡ ଏନଏସିର ରାସରସିକପୁର ସ୍କୁଲରେ ବୁଧବାର ସଂଗୃହିତ ୮୫ଜଣଙ୍କର ସ୍ୱାବ୍‍ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୧ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ରିପୋର୍ଟ ଆଧାରରେ ୧୧ଜଣ ସଂକ୍ରମିତ ଥିବା ନେଇ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ସଂକ୍ରମିତ ୧୧ଜଣଙ୍କ ମଧ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୪ଜଣ ଓ ତହସିଲ କାର୍ଯ୍ୟର ୬ଜଣ ରହିଥିବା ବେଳେ ଅନ୍ୟଜଣେ କନ୍ତୋଲର ୧୨ନଂ ୱାର୍ଡର ବ୍ୟକ୍ତିବୋଲି ଜଣାପଡ଼ିଛି। ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୫ଜଣ କର୍ମଚାରୀ ଓ ଜଣେ ମହିଳା କର୍ମଚାରୀଙ୍କର ୩ଜଣ ସଂପର୍କୀୟଙ୍କୁ ମିଶାଇ ୮ଜଣ କରୋନା ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା କାର୍ଯ୍ୟାଳୟର ଅନ୍ୟ ୪ଜଣ ଗୁରୁବାର ଚିହ୍ମଟ ହୋଇଥିବା ଜଣାପଡ଼ିଛି। ସେହିପରି ଆଠଗଡ ତହସିଲ ଅଫିସର ସଂକ୍ରମିତ ୬ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣ ଆରଆଇ, ଦୁଇଜଣ ଅମୀନ ଓ ୨ଜଣ କିରାଣୀ ରହିଥିବା ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ସୁତ୍ରରୁ ପ୍ରକାଶ। ବୁଧବାର ରାସରସିକପୁର ସ୍କୁଲରେ ଅନୁଷ୍ଠିତ ସ୍ୱାବ୍‍ ସଂଗ୍ରହ ଶିବିରରେ ଆଠଗଡ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ପ୍ରାୟ ସମସ୍ତ କର୍ମଚାରୀଙ୍କର ସ୍ୱାବ୍‍ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। କନ୍ତୋଲ ୧୨ନଂ ୱାର୍ଡର ଜଣେ ୩୫ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ସଂକ୍ରମିତ ଥିବା ଆଜି ପ୍ରାପ୍ତ ରିପୋର୍ଟରୁ ଜଣାପଡ଼ିଛି। ଏହି ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ମାଧବପୁରସ୍ଥିତ ଜିମସାର କୋଭିଡ ଡାକ୍ତରଖାନା ସମେତ ଅନ୍ୟ କୋଭିଡ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରାଯାଉଥିବା ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ସୁତ୍ରରୁ ପ୍ରକାଶ। ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସନ୍ତା ରବିବାର ଏବଂ ତହସିଲ କାର୍ଯ୍ୟାଳୟକୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଓ ତହସିଲଦାର ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଜଣେ ସ୍ୱାବ୍‍ ଦେଇଥିବା ଓ ପରେ ସଂକ୍ରମିତ ଥିବା କର୍ମଚାରୀ ଗୁରୁବାର କାର୍ଯ୍ୟାଳୟକୁ ଆସିବା ସହିତ ଉପଜିଲ୍ଲାପାଳଙ୍କ ଦ୍ୱାରା ଏକ ଫାଇଲ ଦସ୍ତଖତ କରାଇଥିବାରୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିଜେ ପୃଥକବାସରେ ରହିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିପରି ତହସିଲଦାର ମଧ୍ୟ ଗତକାଲି ଓ ଆଜି ସଂକ୍ରମିତ ଥିବା ଜଣାପଡ଼ିବା ପୂର୍ବରୁ କିଛି କର୍ମଚାରୀଙ୍କ ସହ କାର୍ଯ୍ୟ କରିଥିବାରୁ ସେ ମଧ୍ୟ ନିଜେ ଗୋଟିଏ ସପ୍ତାହ ପୃଥକବାସରେ ରହିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଠଗଡରେ ବିଶେଷକରି ଉପଜିଲ୍ଲାପାଳ ଓ ତହସିଲ ଭଳି ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକରେ ଏବେ ସୁଦ୍ଧା ମୋଟ ୧୫ଜଣ କର୍ମଚାରୀ କରୋନା ସଂକ୍ରମିତ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।

Comments are closed.