ପୁଣି ଚିନ୍ତା ବଢାଇଲା କରୋନା, ଗୋଟିଏ ଦିନରେ ୪୫ ଆକ୍ରାନ୍ତ

ଆଠଗଡ: ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ। ସଂକ୍ରମଣ ଥମିବାର ନାଁ ଧରୁନାହିଁ। ସପ୍ତାହର ୨ଦିନ କମ୍‍ ସଂଖ୍ୟକ ସଂକ୍ରମିତ ବାହାରୁଥିବା ବେଳେ ୪ଦିନ ସଂଖ୍ୟା ବଢିଯାଉଥିବା ଦେଖାଯାଉଛି। ତା ଛଡା ଲୋକମାନେ କୋଭିଡ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ଆକ୍ରାନ୍ତ ହେଉଛନ୍ତି। ଲୋକମାନେ ଆଦୌ ସଚେତନ ହେଉନଥିବାବେଳେ ପ୍ରଶାସନ ଓ ପୁଲିସ ଲକ୍‍ଡାଉନ ଏବଂ ସପ୍ତାହନ୍ତ ସଟ୍‍ଡାଉନ କଡାକଡି ପାଳନ ପାଇଁ କୌଣସି ପଦକ୍ଷେପ ନେଉନଥିବାରୁ ସଂକ୍ରମଣ ବଢୁଥିବା ଅଭିଯୋଗ ହେଉଛି।

ଶୁକ୍ରବାର ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ମୋଟ ୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୧ଜଣ କେବଳ ଆଠଗଡ ଏନଏସି ଅଞ୍ଚଳର ରହିଛନ୍ତି। ଆଣ୍ଟିଜେନ ପରୀକ୍ଷଣ ଦ୍ୱାରା ଆଠଗଡ ଡାକ୍ତରଖାନାରେ ୫୦ଜଣଙ୍କ ମଧ୍ୟରୁ ୧୬ଜଣ, ବ୍ରହ୍ମପୁର ସିଏଚସିରେ ୨୬ ରୁ ୧ଜଣ ଖୁଣ୍ଟୁଣୀରେ ୫୭ରୁ ୩ଜଣ, ଗୁରୁଡିଝାଟିଆରେ ୨୦ରୁ ୦ ଓ ଜେନାପଦାରେ ୩୮ରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଆରଟିପିସିଆର ପରୀକ୍ଷଣରୁ ୧୩ତାରିଖ ସଂଗୃହିତ ନମୁନାରୁ ୫ଜଣ ଓ ୧୪ତାରିଖ ନମୁନାରୁ ୧୦ଜଣ ଏବଂ ବ୍ରହ୍ମପୁର ସିଏଚସିର ୧୪ତାରିଖ ନମୁନାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଠଗଡ ସହରରେ ଗତକାଲି କିଛିଦିନ ହେଲା ସଂକ୍ରମଣ ହାର କମିଥିବାବେଳେ ଆଜି ଗୋଟିଏ ଦିନରେ ୨୧ଜଣ ସଂକ୍ରମିତ ଚିହ୍ନଟ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଛି। ପ୍ରଶାସନ ଓ ପୁଲିସ ଲକ୍‍ଡାଉନ, ସଟ୍‍ଡାଉନ କଟକଣାକୁ କଡାକଡି କରିବା ସହିତ ତୁଣ୍ଡି ବାନ୍ଧୁନଥିବା ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।

Comments are closed.