ପ୍ରାଚୀନ କଳା, ସଂସ୍କୃତି ଓ ଲୋକକଳାକୁ ଉତ୍ତରପୀଢିଙ୍କ ପାଇଁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ

ବ୍ଲକସ୍ତରୀୟ ରାମଲୀଳା ମହାସଂଘ ଗଠିତ

ଆଠଗଡ:ଗଡଜାତ ସଂସ୍କୃତି ସଂପନ୍ନ ଆଠଗଡ ବ୍ଲକ ଅଞ୍ଚଳର ରାମଲୀଳା ସଂଘଗୁଡିକୁ ନେଇ ଏକ ବ୍ଲକସ୍ତରୀୟ ରାମଲୀଳା ମହାସଂଘ ଗଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଧାଗୋବିନ୍ଦପୁର ପଞ୍ଚାୟତର କଇଥଛକ ନିକଟବର୍ତ୍ତୀ ସାଲାସାର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶିକ୍ଷାବିତ୍‍ ଶୃତିଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରିଆ ମଠାଧିଶ ସଦାନନ୍ଦ ଦାଶ ମହାରାଜ ଉଦ୍‍ଘାଟକ, ରାଧାଗୋବିନ୍ଦପୁର ସରପଞ୍ଚ ପ୍ରଭାକର ରାଉତ ଓ ମୁଖ୍ୟଅତିଥି ବିଶିଷ୍ଟ ପାଲାଗାୟକ ସନ୍ତୋଷ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଠଗଡ ଅଞ୍ଚଳର ପ୍ରାଚୀନ କଳା, ସଂସ୍କୃତି ଓ ଲୋକକଳାକୁ ଉତ୍ତରପୀଢିଙ୍କ ପାଇଁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ଆଠଗଡ ବ୍ଲକ ଅଞ୍ଚଳର ମୋଟ ୪୮ମଣ୍ଡଳ ରାମଲୀଳା ନାଟ୍ୟସଂଘର ସଭାପତି, ସଂପାଦକ ଓ କଳାକାର ଯୋଗଦେଇ ଏପରି ଏକ ପ୍ରୟାସକୁ ସ୍ୱାଗତ କରିଥିଲେ। ବିଶିଷ୍ଟ ପାଲାଗାୟକ ଅଗାଧୁ ଚରଣ ବେଉରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବଗଠିତ ଆଠଗଡ ଶ୍ରୀରାମଲୀଳା ମହାସଂଘର କର୍ମକର୍ତ୍ତା ସର୍ବସମ୍ମତକ୍ରମେ ମନୋନୟନ କରାଯାଇଥିଲା। ଏହି ସଂଘର ସ୍ଥାୟୀ ସଭାପତି ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ରୁଦ୍ରନାରାୟଣ ମହାନ୍ତି, ସାଧାରଣ ସଂପାଦକ ଅଗାଧୁଚରଣ ବେଉରା, ଉପସଭାପତି ଶିବଶଙ୍କର ଜେନା, ଦେବରାଜ ନାୟକ, ହରିହର ପରିଡା ଓ କୃପାସିନ୍ଧୁ ମହାନ୍ତିଙ୍କୁ ସର୍ବସମ୍ମତକ୍ରମେ ମନୋନିତ କରାଯାଇଥିଲା। ଏହି ସଂଘରେ ୫୯ଜଣ କାର୍ଯ୍ୟକାରୀ ସଦସ୍ୟ ଓ ୨୯ଜଣ ସଦସ୍ୟଙ୍କୁ ଚୟନ କରାଯାଇଥିଲା।

Comments are closed.