ରାଧାଗୋବିନ୍ଦ ଜୀଉଙ୍କ ଝୁଲଣ ଯାତ୍ରା

ଆଠଗଡ଼: ଆଠଗଡ଼ର ପ୍ରାଚୀନ ଶ୍ରୀ ରାଧାଗୋବିନ୍ଦ ମନ୍ଦିରରେ ଝୁଲଣ ଯାତ୍ରା ଗତ ଅଗଷ୍ଟ ୭ତାରିଖ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ବେଳେ ୧୨ତାରିଖ ପୂର୍ଣ୍ଣମୀ ତିଥିରେ ଏହା ଶେଷ ହେବ। ଏକ ପବିତ୍ରମୟ ପରିବେଶରେ ଚାଲିଥିବା ଝୁଲଣ ଯାତ୍ରା ଉପଲକ୍ଷେ ମନ୍ଦିରକୁ ସୁନ୍ଦର ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ଶ୍ରୀ ରାଧା, ଶ୍ରୀ କୃଷ୍ଣ ଓ ଶ୍ରୀ ବଳରାମଙ୍କୁ ସୁନ୍ଦରଭାବେ ସୁସଜ୍ଜିତ ଦୋଳାୟମାନ ବିମାନରେ ଉପବିଷ୍ଟ କରାଇ ଝୁଲଣ ଯାତ୍ରା ଅନୁଷ୍ଟିତ ହେଉଛି। ସ୍ଥାନୀୟ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସେଠାରେ ଭଜନ ପରିବେଷଣ କରୁଥିବା ବେଳେ ଶେଷ ଦୁଇଦିନ ଗୁରୁବାର ଓ ଶୁକ୍ରବାର ପୁରୀରୁ ଆସିଥିବା କଳାକାରମାନେ ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରୁଛନ୍ତି। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଝୁଲଣ ଯାତ୍ରା ପରିଚାଳନାରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ମନ୍ଦିରର ସେବାୟତ ମାନେ ସହଯୋଗ କରୁଛନ୍ତି।

Comments are closed.