ସ୍ୱାମୀ ବିବେକାନନ୍ଦ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ

ଆଠଗଡ଼: ଆଠଗଡ଼ ସହରରେ ନୂତନ ଭାବେ ପ୍ରତିଷ୍ଠିତ ଅଶୋକନଗରସ୍ଥିତ ସ୍ୱାମୀ ବିବେକାନନ୍ଦ ଆଡଭାନ୍ସ ଇଂଲିଶ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ରକ୍ଷାବନ୍ଧନ ଉତ୍ସବରେ ଡେଙ୍କାନାଳ ସିଆରିଆ ମଠାଧିଶ ସାଧୁ ସଦାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବର ଆଧ୍ୟାତ୍ମିକ ପୃଷ୍ଟଭୂମି ଉପରେ ଆଲୋକପାତ କରିବା ସହିତ ଭାଇ ଓ ଭଉଣୀଙ୍କର ଅତୁଟ ବନ୍ଧନ ସଂପର୍କରେ ବୁଝାଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କର ଜୀବନାଦର୍ଶକୁ ପାଥେୟ କରି ଏଠାରେ ଅଧ୍ୟୟନରତ କୋମଳମତି ଶିଶୁଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ସହିତ ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବା ଶିକ୍ଷକମାନଙ୍କର ଦାୟିତ୍ୱ ବୋଲି ମୁଖ୍ୟଅତିଥି ଶ୍ରୀ ଦାସ ମହାରାଜ ମତବ୍ୟକ୍ତ କରିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ ତିଗିରିଆସ୍ଥିତ ରାମକୃଷ୍ଣ ମିଶନର ପ୍ରଚାରକ ରାମଚନ୍ଦ୍ର ଜେନା ସ୍ୱାମୀ ବିବେକାନନ୍ଦଙ୍କର ଜୀବନୀ, ନୀତି, ଆଦର୍ଶ ଓ ବାଣୀ ସଂପର୍କରେ ବିସ୍ତୃତ ଭାବେ ଅବତାରଣା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‍ ପ୍ରମୋଦ କୁମାର ଜେନା ଓ ପ୍ରତାପ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିଶୁଙ୍କ ଚରିତ୍ର ଗଠନରେ ଆଦ୍ୟ ଶିକ୍ଷାର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପୁହାଣ ଏହି ବିଦ୍ୟାଳୟ ପ୍ରତିଷ୍ଠାର ମହତ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୁନିକୁନି ବିଦ୍ୟାର୍ଥୀ ସମସ୍ତ ଅତିଥି ଓ ଆମନ୍ତ୍ରିତ ବ୍ୟକ୍ତିବିଶେଷଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ରାଉତ, ଶିକ୍ଷାବିତ୍‍ ନବକିଶୋର ରାଉତ, ଅଶୋକ କୁମାର ଦାଶ, କ୍ଷୀରୋଦାନନ୍ଦ ମିଶ୍ର, ନଚିକେତା ପରମାଣିକ, ସରୋଜ କୁମାର ମହାନ୍ତିି, ବିଜୟ କୁମାର ପରିଡ଼ା, ହେମନ୍ତ କୁମାର ମହାନ୍ତି, ନିମାଇଁ ଚରଣ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କମିଟିର ଅନ୍ୟତମ ସଦସ୍ୟ ବିଭୂତି ଭୂଷଣ ଖଟୁଆ ଅତିଥି ପରିଚୟ ପ୍ରଦାନ ସହିତ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ସଦସ୍ୟା ପଦ୍ମିନୀ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.