ଶିଶୁମାନେ ଦେଶର ଭବିଷ୍ୟତ, ସେମାନଙ୍କର ଭବିଷ୍ୟତ ଗଢିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ

ଆଠଗଡରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମିତି ବୈଠକ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିଲା। ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ଭାବେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଏଥିରେ ସଭାପତିତ୍ୱ କରି ଶିଶୁମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କର ଭବିଷ୍ୟତ ଗଢିବା ସହିତ ସେମାନଙ୍କୁ ସୁନାଗରିକ ଭାବେ ଗଢିତୋଳିବା ଆମ ସମସ୍ତଙ୍କର ସାମାଜିକ ଓ ନୈତିକ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ସୁରକ୍ଷା ସମିତିର ଆବାହକ ତଥା ସମନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରୀ ରିତାଞ୍ଜଳୀ ପ୍ରଧାନ ଏଥିରେ ଉଦ୍‍ବୋଧନ ଦେଇ ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କର ସ୍ୱାସ୍ଥ୍ୟ, ବାଲ୍ୟବିବାହ ଓ ଶିଶୁ ଶ୍ରମିକ ନିରୋଧ ଉପରେ ଆଲୋକପାତ କରିବା ସହିତ ଶିଶୁମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାର, ନିର୍ଯ୍ୟାତନା ଓ ଦାଦନ ଭାବେ ବାହାରକୁ ଚାଲାଣ କାରବାରକୁ ରୋକିବା ଦିଗରେ ଶିଶୁ ସୁରକ୍ଷା ସମିତି ପଦକ୍ଷେପ ନେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଶିକ୍ଷାବିତ୍‍ ଶ୍ରୁତିଧର ପ୍ରଧାନ, ହୃଷିକେଶ ବେହେରା, ମହିଳା ସାମାଜିକ କର୍ମୀ ରଞ୍ଜିତା ଭକ୍ତା, ମିଶନଶକ୍ତି ସଂଯୋଜକ ଚିତ୍ତରଞ୍ଜନ ବଳିୟାରସିଂହ, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ନିତ୍ୟାନନ୍ଦ ବେହେରା, ଓଡିଶା ଜୀବିକା ମିଶନର ଜୀବିକା ସଂଯୋଜକ ବିନୋଦ ବିହାରୀ ପଣ୍ଡା, ଗୋପବନ୍ଧୁ ବିଜ୍ଞାନ କଲେଜ ଜାତୀୟ ସେବାସଂସ୍ଥା ପକ୍ଷରୁ ଅଧ୍ୟାପକ ଚିତ୍ରସେନ ରାଉତ ଏବଂ ବ୍ରହ୍ମପୁର ସିଏଚସି ଅଧିନ ମେଘା ସେକ୍ଟର ବରିଷ୍ଟ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ସମିତି ଗଠନ ଓ ସେମାନଙ୍କ ଦ୍ୱାରା ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀଙ୍କୁ ଶିଶୁମିତ୍ର ଭାବେ କାର୍ଯ୍ୟରେ ନିୟୋଜିତ କରି ଶିଶୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଲାଗି ସମସ୍ତେ ଶପଥ ପାଠ କରିଥିଲେ। ମିଶନ ଶକ୍ତି ସଂଯୋଜକ ଚିତ୍ତରଞ୍ଜନ ବଳିୟାରସିଂହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.