୯ଟି ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଶିଳାନ୍ୟାସ

ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ଼ର ୩୪ଟି, ତିଗିରିଆର ୧୪ଟି ଓ କଟକ ସଦର ଅଧିନ ଗୋଟିଏ ଗ୍ରାମପଞ୍ଚାୟତରେ ଆଉ ୯ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। ଜମିଜମା ସଂକ୍ରାନ୍ତୀୟ ବିବାଦ, ଅଭିଯୋଗ ଓ ଶୁଣାଣୀ ଇତ୍ୟାଦି ପାଇଁ ଦୂରଦୂରାନ୍ତରେ ଥିବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ବାରମ୍ବାର ଯିବାଲାଗି ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବିଭିନ୍ନ ସ୍ଥାନରେ ଅଧିକ ୯ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନ ପାଇଁ ଲୋକମାନଙ୍କର ଦୀର୍ଘଦିନର ଦାବିକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ଅନୁରୋଧ କରିଥିଲେ। ଓଡ଼ିଶା ସରକାର ଏହି ଦାବିକୁ ମାନିନେବା ସହ ଆଠଗଡ଼ ତହସିଲରେ ଅଧିକ ୫ଟି ଧାଇପୁର, ସମସରପୁର, କୁଲାଇଲୋ, ଓରନ୍ଦା ଓ କୁମାରପୁରରେ ଏବଂ ତିଗିରିଆ ତହସିଲ ଅଧିନରେ ପାଞ୍ଚଗାଁ, ନୂଆପାଟଣା ଓ ବଡନାଉପୁଟ ସମେତ କଟକସଦର ତହସିଲ ଅଧିନ କଖଡିଠାରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିଲେ।

ଏହି ୯ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଆଠଗଡ଼ଠାରେ ଗତ ବୁଧବାର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଏହାଦ୍ୱାରା ଜମିଜମା ସଂକ୍ରାନ୍ତୀୟ ମାମଲା ଶୀଘ୍ର ଫଇସଲା ହୋଇପାରିବ ଏବଂ ସାଧାରଣ ଲୋକ ବେଶ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟବ୍ରତ ଦାସଙ୍କ ସମେତ ବହୁ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ।

Comments are closed.