ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ

ଆଠଗଡରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା

ଆଠଗଡ: ସ୍ୱାସ୍ଥ୍ୟ ହିଁ ସଂପଦ, ଏହି ଉକ୍ତିକୁ ଉପଲବ୍ଧି କରି ରାଜ୍ୟ ସରକାର ଲୋକଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ଲକ୍ଷ୍ୟ ପୂରଣ କରିବାକୁ ଯାଉଛନ୍ତି। ଏଥିପାଇଁ ବିଭିନ୍ନ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶ ସହିତ ସେଠାରେ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅଭିଜ୍ଞ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତ କରିବା ଲାଗି ସରକାର ପଦକ୍ଷେପ ନେଉଥିବା ଆଠଗଡ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଆତ୍ମାର ସଭାପତି ରବିନ୍ଦରନାଥ ରାଉତ ପ୍ରକାଶ କରିଛନ୍ତି। ଜେନାପଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଆୟୋଜିତ ହୋଇଯାଇଛି। ଆଠଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀ ରାଉତ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନଧି ରଞ୍ଜନ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୋଜନା ସଂଯୋଜକ ଦୀପକ କୁମାର ସାହୁ, ଏଡିପିଏଚଓ ମନ୍ଦାକିନୀ ବେହେରା, ୧ନଂ ଜୋନ ଜିଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ଜେନାପଦା ସରପଞ୍ଚ ରଶ୍ମିତା ଦେବତା, ସମିତିସଭ୍ୟ ମେନକା ସେଠୀ, ଜେନାପଦା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଅଶ୍ୱିନୀ କୁମାର ମୁନି, ଆୟୁଶ ଡାକ୍ତର ଆଶିଷ କୁମାର ସାହୁ, ଡାକ୍ତର ଦୀପକ ରାଜ, ବ୍ଲକ ଯୋଜନା ସଂଯୋଜିକା ପୁଷ୍ପମିତ୍ରା ଦାସ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ସିଡିପିଓ ରିତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ସ୍ୱାସ୍ଥ୍ୟମେଳା ଦ୍ୱାରା ସ୍ଥାନୀୟ ଗ୍ରାମାଞ୍ଚଳର ଗରିବ ରୋଗୀ ଉପକୃତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

 

ଏହି ମେଳାରେ ୪୬ଟି କାଉଣ୍ଟର କରାଯାଇ ଯୋଗଦେଇଥିବା ୬୨୧ଜଣ ରୋଗୀଙ୍କୁ ସେମାନଙ୍କର ରୋଗ ଚିହ୍ନଟ, ପରୀକ୍ଷା ନିଦାନ ସେବା ଓ ନିଶୁଳ୍କ ଔଷଧ ପ୍ରଦାନ କରାଯାଇଥିଲା। ଏଥି ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନଧର୍ମୀ ବାର୍ତ୍ତାଥିବା ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳା ପରିଚାଳନାରେ ୬ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଜନଆରୋଗ୍ୟ ସମିତିର ସଭ୍ୟ, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିିତିର ସଭ୍ୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ସହଯୋଗ କରିଥିଲେ। ଏହି ଅବସରରେ କିଛି ଜଟିଳ ରୋଗୀଙ୍କୁ ଇ-ସଂଜିବନୀ ଓ ଟେଲି ମେଡିସିନ ସେବା ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ସ୍ୱାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ, କବିତା ଓ ପାଲା ପରିବେଷଣ କରାଯାଇଥିଲା।

Comments are closed.