ଜିଲ୍ଲା ପରିଷଦ ୨ନଂ ଜୋନ, ୩ ଦଳ ପାଇଁ ସମ୍ମାନର ପ୍ରଶ୍ନ

ଆଠଗଡ଼: ଆଠଗଡ଼ ବ୍ଲକର ୨ନଂ ଜିଲ୍ଲାପରିଷଦ ଜୋନଟି ଚଳିତ ନିର୍ବାଚନରେ ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏହି ଆସନ ପାଇଁ ଶାସକ ବିଜେଡି, ବିରୋଧି ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଛି। ଏହି ଆସନରେ ବିଜୟ ୩ ପ୍ରମୁଖ ଦଳ ପାଇଁ ମୁଖ୍ୟ ଲକ୍ଷ୍ୟ ଥିବାବେଳେ ସେମାନଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। ଏହି ଆସନରେ ବିଜେଡିର ପ୍ରାର୍ଥୀନୀ ମୀନତି ଗାଗରାଇ, ବିଜେପିର ଚିନ୍ମୟୀ ପୂର୍ତ୍ତି ଏବଂ କଂଗ୍ରେସର ରଞ୍ଜିତା ହେଁସାଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ। ଗତ ନିର୍ବାଚନରେ ଏହି ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ କରିଥିଲେ। ତେଣୁ ପୁନର୍ବାର ଏହି ଆସନକୁ ହାତେଇବା ପାଇଁ ଶାସକ ବିଜେଡି ସମସ୍ତ କଳ, ବଳ, କୌଶଳ ପ୍ରୟୋଗ କରିବା ଆରମ୍ଭ କରିଛନ୍ତି। ଦଳର ତୁଙ୍ଗନେତା ତଥା ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇ ନଥିବାବେଳେ ପ୍ରତି ପଞ୍ଚାୟତର ଦଳୀୟ କର୍ମୀ ଏବଂ ଦଳର ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟ ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ ଘରକୁ ଘର ଯାଇ ପ୍ରଚାର ଭୋଟ ଭିକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଆସନ୍ତା ୫ତାରିଖ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଲାଗି ବାହାରିବେ ବୋଲି ଦଳୀୟ ସୁତ୍ରରୁ ପ୍ରକାଶ। ସେହିପରି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଚିନ୍ମୟୀ ପୂର୍ତ୍ତି ନିର୍ବାଚନ ଲଢୁଛନ୍ତି। ବିଜେପିର ସ୍ଥାନୀୟ ବରିଷ୍ଠ ନେତା ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ ବିଭିନ୍ନ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ପୂର୍ତ୍ତି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧରି ପଞ୍ଚାୟତ ଗୁଡିକର ଗାଁ କୁ ଗାଁ ଓ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ଦଳର ପୂର୍ବରୁ ଦୁର୍ଗ ରହିଆସିଥିବା ୨ନଂ ଜୋନ ବା ନବେଢ଼ା ଅଞ୍ଚଳରେ ତାଙ୍କ ଦଳୀୟ ପ୍ରାର୍ଥୀ ରଞ୍ଜିତା ହେଁସା କିପରି ବିଜୟ ମୁକୁଟ ପିନ୍ଧିବେ ସେଥିଲାଗି ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଦଳର ତୁଙ୍ଗନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ବୁଧବାର ଠାରୁ ୧ନଂ ଓ ୩ନଂ ଜୋନରେ ପ୍ରଚାର ମଙ୍ଗ ଧରିଥିବାବେଳେ ଖୁବ୍‍ଶୀଘ୍ର ୨ନଂ ଜୋନର ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର ପାଇଁ ଯିବେ ବୋଲି ତାଙ୍କ ଦଳ ପକ୍ଷରୁ କୁହାଯାଇଛି। ୩ନଂ ଜୋନ ଅଧିନରେ ଛଅଗାଁ(ଭୋଟର ସଂଖ୍ୟା-୩୨୮୯), ଗୋବରା (୪୧୫୨), ଗୁରୁଡ଼ିଝାଟିଆ(୪୭୯୦), କଣ୍ଡରେଇ(୩୩୮୨), ରାଧାକୃଷ୍ଣପୁର(୨୬୭୦), ଖୁଣ୍ଟୁଣୀ(୪୪୪୫), କୁମାରପୁର(୪୭୪୫), ଓରନ୍ଦା(୩୮୦୪), କୁଶପଙ୍ଗୀ(୨୪୪୪), ରାଧାକିଶୋରପୁର(୪୧୧୧), ଡାଳଭାଗ(୧୬୮୧) ଓ ଭୋଗରା (୧୯୮୪) ଆଦି ୧୨ଟି ପଞ୍ଚାୟତର ମୋଟ ୪୧୪୯୭ଜଣ ଭୋଟର ଆଗାମୀ ଫେବୃଆରୀ ୨୨ତାରିଖରେ ସେମାନଙ୍କର ମତଦାନ କରିବେ। ଏହି ଜୋନରେ ଏବେ ପ୍ରଚାର ଜମି ଆସୁଥିବା ବେଳେ ଆଗାମୀ ୧୮-୧୯ଦିନ ଏହି ପ୍ରଚାର ଆହୁରି ଶାଣିତ ହେବ ବୋଲି ଆଶା କରାଯାଉଛି।

Comments are closed.