ଜଗନ୍ନାଥ ମନ୍ଦିର ପରିସରରୁ ଚନ୍ଦନ ଗଛ ଚୋରି

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟାଳି ଜଗନ୍ନାଥ ଦେବଙ୍କ ମନ୍ଦିର ପରିସରରୁ ବୁଧବାର ବିଳମ୍ବିତ ରାତିରେ ଏକ ୨୦ବର୍ଷ ପୁରୁଣା ଚନ୍ଦନ ଗଛ ଚୋରି ହୋଇଯାଇଥିବା ଜଣାପଡିଛି। କେହି ଦୁର୍ବୁତ ମନ୍ଦିର ପରିସରସ୍ଥିତ ଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ପ୍ରାୟ ଦେଢ ଫୁଟ ଗୋଲେଇର ଚନ୍ଦନ ଗଛଟିକୁ ମୂଳରୁ କଟର ସାହାଯ୍ୟରେ କାଟି ଗଛର ଗଣ୍ଡି ନେଇଯାଇଥିବାବେଳେ ଡାଳଗୁଡିକ ସେଠାରେ ପକାଇ ଦେଇଛି। ସକାଳେ ମନ୍ଦିରକୁ ଆସିଥିବା ବଡପଣ୍ଡା ଶରତ କୁମାର ପଣ୍ଡା ଏହା ଦେଖି ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ଜଣାଇଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ମନ୍ଦିରରେ ପୂଜାନୀତି ପାଳିଥିବା ଅନ୍ୟତମ ବଡପଣ୍ଡା ସୁଶାନ୍ତ କୁମାର ପଣ୍ଡା ଏ ସଂପର୍କରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ରାତି ପ୍ରାୟ ୮ଟାରେ ମନ୍ଦିରର ପୂଜାନୀତି ସାରି କର୍ତ୍ତବ୍ୟରତ ବଡପଣ୍ଡା ସୁଶାନ୍ତ ପଣ୍ଡା ମନ୍ଦିରର ମୁଖ୍ୟଦ୍ୱାର ଏବଂ ଦୁଇ ପ୍ରବେଶପଥରେ ତାଲା ପକାଇ ନିଜ ଘରକୁ ଯାଇଥିଲେ। ଚୋରି ହୋଇଥିବା ଚନ୍ଦନ ଗଛର କାଠର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଚର୍ଚ୍ଚା ହେଉଛି। ଆଠଗଡ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ଖୁବ୍‍ ଶୀଘ୍ର ଏହି ଗଛ କାଟିନେଇଥିବା ଦୁର୍ବୁତ୍ତଙ୍କୁ ଧରାଯିବ ବୋଲି ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.