ଆଠଗଡରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ

ଆଠଗଡ: ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି ଶାସନ ଦାୟିତ୍ୱରେ ଥିବା ଓଡିଶାର ଏକମାତ୍ର ତଥା ସର୍ବବୃହତ ଆଞ୍ଚଳିକ ତଥା ରାଜନୈତିକ ଦଳ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଆଠଗଡ ବିଜେଡି ପକ୍ଷରୁ ସ୍ଥାନୀୟ ମହୋତ୍ସବ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରତ୍ୟୁଷରେ ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟଭବନ ଠାରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଦଳୀୟ ପତାକା ଉତ୍ତୋଳନ କରିବା ସହ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉଦ୍‍ବୋଧନ ଦେଇଥିଲେ। ପରେ ପରେ ଏନଏସି ସଭାପତି ଶିଶିର ପ୍ରସାଦ ମାନସିଂହଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ସହର ତଥା ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଠଗଡ ଉପଖଣ୍ଡ ଡାକ୍ତରଖାନା ଓ ଉପକାରାଗାରର ଅନ୍ତେବାସୀଙ୍କୁ ଫଳମୂଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ଅପରାହ୍ନରେ ମହୋତ୍ସବ ପଡିଆଠାରେ ବ୍ଲକ ସଭାପତି ଶ୍ରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସୁଖଦୁଃଖର ସାଥୀ ହୋଇ ରହିଛି ଏବଂ ରାଜ୍ୟବାସୀଙ୍କର ଉନ୍ନତି ପାଇଁ ବହୁ କାର୍ଯ୍ୟ ସଫଳତାର ସହ କରି ଲୋକଙ୍କ ହୃଦୟ ଜୟ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟକୁ ବିକଶିତ କରିବା ଲାଗି ବିଜୁ ଜନତା ଦଳ ପ୍ରତିବଦ୍ଧ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, କୃଷକ ନେତା ଅଶୋକ ରାଉତ, ମହିଳା ବିଜେଡି ସଭାନେତ୍ରୀ ଅଶାନ୍ତି ବେହେରା, ବାସନ୍ତୀ ରାଉଳ, ରଞ୍ଜିତା ଭକ୍ତା, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ, ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ରମେଶ ଘଢେଇ, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ଛାତ୍ରବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଜ୍ୟୋତିରଞ୍ଜନ ପ୍ରଧାନ, ଶୁଭେନ୍ଦୁ ବେହେରା, ପ୍ରଭଞ୍ଜନ ସେଠୀ ଓ ରଞ୍ଜନ କୁମାର ଜେନା ପ୍ରମୁଖ ଉଦ୍‍ବୋଧନ ଦେଇ ବିଗତ ୨୪ବର୍ଷରେ ଦଳର ଏବଂ ସରକାରଙ୍କର ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

Comments are closed.