ରେସନକାର୍ଡ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ

ଆଠଗଡ: ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡ ମହାମାରୀରେ ଜୀବିକା ପ୍ରବାହିତ ହୋଇଥିବା ରେସନକାର୍ଡଧାରୀଙ୍କ ରାଜ୍ୟ ସରକାରଙ୍କ ଘୋଷଣା ମତେ ଗୁରୁବାର ସହାୟତା ରାଶି ବଣ୍ଟନ କରାଯାଇଛି। ସ୍ଥାନୀୟ ମହୋତ୍ସବ ପଡିଆରେ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟର ଗରିବଗୁରୁବା ଏବଂ ଅଭାବି ଲୋକଙ୍କ ଦୁଃଖ ଓ କଷ୍ଟ ଦୂର କରିବା ପାଇଁ ବିଶେଷ କରି ଏହି କରୋନା ମହାମାରୀରେ ଗତ ପ୍ରାୟ ୨ବର୍ଷ ହେବ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଥିବାରୁ ରାଜ୍ୟସରକାର ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଆଠଗଡ ଏନଏସି ଅଞ୍ଚଳର ୨୮୨୦ଜଣ ରେସନକାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମନ୍ତ୍ରୀ ଶ୍ରୀ ସ୍ୱାଇଁ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସିର ପୂର୍ବତନ ନଗରପାଳ ରମେଶ ଚନ୍ଦ୍ର ଘଢେଇ, ସୁବର୍ଣ୍ଣମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁଙ୍କ ସମେତ ପ୍ରାୟ ସମସ୍ତ ପୂର୍ବତନ କାଉନସିଲର ଯୋଗଦେଇ ସହାୟତା ରାଶି ବଣ୍ଟନରେ ସହଯୋଗ କରିଥିଲେ।

Comments are closed.