ଆଠଗଡରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମାବେଶ

ଆଠଗଡ: ଆଠଗଡର ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, କନ୍ଦରପୁର ହାଇସ୍କୁଲ, ବେଣ୍ଟପଦା ହାଇସ୍କୁଲ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଅବସରଗ୍ରହଣ କରିଥିବା ଶିକ୍ଷକମାନଙ୍କର ଏକ ସମାବେଶ ଓ ବନ୍ଧୁମିଳନ ଶନିବାର ସ୍ଥାନୀୟ ଯଜ୍ଞନାରାୟଣ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି। ଦୀର୍ଘ ୪ଦଶନ୍ଧି ଧରି ଆଠଗଡର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା, ବିଦ୍ୟାର୍ଥୀଙ୍କୁ ମୂଲ୍ୟବୋଧ ଭିତ୍ତିକ ସଂସ୍କାର ଦେଇ କୃତିଛାତ୍ର ଭାବେ ଗଢି ତୋଳିଥିବା ଏବଂ ସର୍ବୋପରି ଶିକ୍ଷାୟତ୍ତନ ଗୁଡିକର ବିକାଶ ଦିଗରେ ଅହରହ ଉଦ୍ୟମ କରିଥିବା ଏହି ଅବସର ପ୍ରାପ୍ତ ଶିକ୍ଷକମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ସେମାନଙ୍କ ସ୍ମୃତି, ଅନୁଭୁତି ଓ ଅଭିଜ୍ଞତାକୁ ରୋମନ୍ଥନ କରିଥିଲେ। ସେମାନଙ୍କର ସହକର୍ମୀ ତଥା ଦିବଙ୍ଗତ ଶିକ୍ଷକମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆତ୍ମାର ସଦଗତି କାମନା ପୂର୍ବକ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଯୋଗଦେଇଥିବା ସମସ୍ତ ଶିକ୍ଷାବିତ୍‍ ନିକଟରେ ରୂପାନ୍ତରିକରଣ ହୋଇ ନୂତନ ରୂପରେ ଉଦ୍‍ଭାସିତ ହୋଇଥିବା ବିଶ୍ୱନାଥ ବିଦ୍ୟାପୀଠ ପରିଦର୍ଶନ କରିଥିଲେ। ସେଠାରେ ପ୍ରଧାନଶିକ୍ଷୟିତ୍ରୀ ଉଷାରାଣୀ ପତି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବୁଲାଇ ଦେଖାଇଥିଲେ। ବିଦ୍ୟାଳୟର ନୂତନ ରୂପ ଦେଖି ସେଠାରେ ପୂର୍ବରୁ ଦୀର୍ଘକାଳ ଶିକ୍ଷକତା କରିଥିବା ଶିକ୍ଷକମାନେ ଆନନ୍ଦରେ ଉଲ୍ଲସିତ ହୋଇପଡିଥିଲେ।

ଯଜ୍ଞନାରାୟଣ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଶରତଚନ୍ଦ୍ର ସାହୁ, ପ୍ରମୋଦ କୁମାର ଜେନା, ହରମୋହନ ପ୍ରଧାନ, ନରହରି ନନ୍ଦ, ବାଳକୃଷ୍ଣ ପଣ୍ଡା, ପ୍ରମିଳା ବିଶ୍ୱାଳ, ବଂଶୀଧର ପଣ୍ଡା, ରତିକାନ୍ତ ଦାଶ, ଭୀମସେନ ଦାଶ, ଶ୍ରୀଚରଣ ନାୟକ, ସୁବାସ ଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ଜେନା, ତ୍ରିଲୋଚନ ଦାସ, ଯୋଗୀନାଥ ଦାସ, ନିମାଇଁ ଚରଣ ସ୍ୱାଇଁ, ମୂରଲୀଧର କର, ପ୍ରତାପଚନ୍ଦ୍ର ପଣ୍ଡା, ମହେଶ୍ୱର ବେହେରା, ବସନ୍ତ କୁମାର ସିଂହ, ବିଜୟ କୁମାର ପଣ୍ଡା, ମନୋରଞ୍ଜନ ରାଉତ, ରବିନାରାୟଣ ପତି, ହେମାଙ୍ଗିନି ସାହୁ, ଯୋଗୀନାଥ ରାଉତ ପ୍ରମୁଖ ଉଦ୍‍ବୋଧନ ଦେଇ ନିଜର ଅନୁଭୁତି ଓ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ର କ୍ଷୀରୋଦ କୁମାର ମିଶ୍ର, ରାମନାରାୟଣ ମହାନ୍ତି ଓ ଅନ୍ୟମାନେ ଏହି ପ୍ରାକ୍ତନ ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ପ୍ରାକ୍ତନ ପ୍ରଧାନଶିକ୍ଷକ ନବକିଶୋର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.