ସତର୍କତା ଓ ସଚେତନତା ଏଡ୍‍ସର ମୁଖ୍ୟ କବଚ

ଆଠଗଡ: ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଗୁରୁବାର ବିଶ୍ୱ ଏଡ୍‍ସ ଦିବସ ଅବସରରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଏହାକୁ ଉଦ୍‍ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି ଏଚ୍‍ଆଇଭି ଆକ୍ରାନ୍ତ ଲୋକମାନଙ୍କ ପ୍ରତି ସମ୍ବେଦନଶୀଳ ଓ ସହାନୁଭୂତିଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ଏଥି ସହିତ ବିଚାରପତି ଶ୍ରୀ ସାହୁ ଏଡ୍‍ସ ଆକ୍ରାନ୍ତଙ୍କ ଆଇନଗତ ଅଧିକାର ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଯୋଗଦେଇ ଏଡ୍‍ସ ରୋଗର ଭୟାବହତା, କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ଆଲୋକପାତ କରିଥିଲେ। ଏଡ୍‍ସ ରୋଗର ସଫଳ ଚିକିତ୍ସା ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇନଥିବାରୁ ସତର୍କତା ଓ ସଚେତନତା ହିଁ ଏହି ରୋଗର ମୁଖ୍ୟ ରକ୍ଷା କବଚ ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡା, ଆଇନଜୀବୀ ବିଷ୍ଣୁ ପ୍ରସାଦ ସାହୁ ଓ ଅନ୍ୟ ଆଇନଜୀବୀ ଯୋଗଦାନ କରି ଉଦ୍‍ବୋଧନ ଦେଇଥିଲେ। ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ ସଭା ସଂଯୋଜନା କରିଥିବାବେଳେ ଓକିଲ ସଂଘ ସଭାପତି ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା ଓ ଡାକ୍ତରଖାନାର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.