୯୦୦ଲିଟର ଦେଶୀମଦ ସହ ବୋଲେରୋ ଜବତ, ଜଣେ ଗିରଫ

ଆଠଗଡ: କଟକ ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ପକ୍ଷରୁ ଚଢାଉ କରାଯାଇ ଖୁଣ୍ଟୁକଟାର ଅଂଶୁପା ଛକ ନିକଟରେ ଏକ ବୋଲେରୋରେ ଚାଲାଣ ହେଉଥିବା ୯୦୦ଲିଟର ସଦ୍ୟ ପ୍ରସ୍ତୁତ ଦେଶୀମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୨ନଂ ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଖୁଣ୍ଟୁକଟା ଠାରୁ ଅଂଶୁପା ଯିବା ରାସ୍ତାର ମୁଖ୍ୟ ଛକଠାରେ ଏକ ବୋଲେରୋ ଗାଡିକୁ ପିଛାକରି ଧରିଥିଲେ। ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତର ମଦପ୍ରସ୍ତୁତି ପାଇଁ କୁଖ୍ୟାତ ପଣସପାଟଣା ଗ୍ରାମରୁ ଏହି ଦେଶୀମଦ ବୋଲେରୋରେ ବାଙ୍କୀ ଜାତମୁଣ୍ଡିଆ ପୋଲଦେଇ ବାରଙ୍ଗ ଓ ଦାରୁଠେଙ୍ଗ ଅଞ୍ଚଳକୁ ଚାଲାଣ ହେଉଥିଲା।

ଏକ ବୋଲେରୋକୁ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ଆଠଗଡ ଥାନା ଅନ୍ତର୍ଗତ ରାଧାମୋହନପୁର ଗ୍ରାମର ଲିପୁ ରାଉତଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ତାକୁ ଆଠଗଡ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ଙ୍କ ଅଦାଲତରେ ହାଜର କରାଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ। ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଞ୍ଜିତ ବାର୍ଲାଙ୍କ ନେତୃତ୍ୱରେ ଉପସହକାରୀ ନିରୀକ୍ଷକ ହାରୁନ୍‍ ହବିବ୍‍, ସିପାହୀ ରଞ୍ଜନ ଭୋଇ, ଗଜାନନ ବେହେରା, ମନ୍ମଥ ସିଂହ ପ୍ରମୁଖ ଏହି ଚଢାଉ କରିଥିଲେ।

Comments are closed.