ବିଶ୍ୱ ନିମୋନିଆ ଦିବସରେ ଜନସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଶୁକ୍ରବାର ରାଜନଗର ପଞ୍ଚାୟତ କାର୍ଯ୍ୟାଳୟଠାରେ ବିଶ୍ୱ ନିମୋନିଆ ଦିବସ ପାଳନ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ରାଜନଗର ସରପଞ୍ଚ ମହେନ୍ଦ୍ର କୁମାର ପରିଡା ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସଂପଦ ଏବଂ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ନିମୋନିଆ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ଶ୍ରୀ ଅସଲମ ଲୋକମାନଙ୍କୁ ପାଞ୍ଜଳ ଭାବେ ବୁଝାଇଥିଲେ। ନିମୋନିଆ ଏକ ଫୁସ୍‍ଫୁସ୍‍ଜନିତ ରୋଗ ଏବଂ ଏହା ସବୁ ବୟସର ଲୋକଙ୍କଠାରେ ଦେଖାଯାଇଥାଏ। ତେବେ ଶୂନ୍ୟରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଠାରେ ଏହା ଅଧିକ ଦେଖାଯାଏ। ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ସଂଖ୍ୟାରେ ନିମୋନିଆରେ ଆକ୍ରାନ୍ତ ହୋଇଥାନ୍ତି।

ବିଶ୍ୱର ସବୁ ଦେଶରେ ନିମୋନିଆ ରୋଗ ଦେଖାଯାଇଥାଏ। ଏହା ସହର ତଳି, ଅପରିଷ୍କାର ପରିବେଶ, ଘନ ଜନବସତି ଏବଂ ବାୟୁ ସଞ୍ଚାଳନରେ ସମସ୍ୟା ସୃଷ୍ଟି ହେଉଥିଲେ ସେ ଅଞ୍ଚଳରେ ନିମୋନିଆ ରୋଗ ଅଧିକ ସଂଖ୍ୟାରେ ଦେଖାଯିବାର ସମ୍ଭାବନା ଥାଏ। ଅଧିକ ମଦ୍ୟପାନ, ଧୁମ୍ରପାନ କରୁଥିବା ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ଥାଏ। ଏହି ରୋଗର ଲକ୍ଷଣ ଦେହ ହାତ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ଅସୁସ୍ଥ ଲାଗିବା, ଶୁଖିଲା କାଶ ଓ ବାନ୍ତି ହୋଇ ବ୍ୟତିବ୍ୟସ୍ତ ଲାଗେ। ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ। ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ଆଶାକର୍ମୀ ବାସନ୍ତି ବର୍ମା, ଅମିତା ସାହୁ, ଅଙ୍ଗନବାଡି କର୍ମୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.