କଂଗ୍ରେସ ଦଳର ଆଠଗଡରେ ହରତାଳ ଓ ବନ୍ଦ ଶାନ୍ତିପୂର୍ଣ୍ଣ

ଆଠଗଡ: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହରଙ୍କ ଜଘନ୍ୟ ହତ୍ୟାକାଣ୍ଡ ତଥା ଏଥିରେ ସଂପୃକ୍ତ ସନ୍ଦିଗ୍ଧ ଅପରାଧୀ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ଆଠଗଡ କଂଗ୍ରେସ ପକ୍ଷରୁ ଶୁକ୍ରବାର କରାଯାଇଥିବା ହରତାଳ ଓ ବନ୍ଦ ସାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଏହି ବନ୍ଦ ବା ହରତାଳ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟା ପାଇଁ ଏହି ହରତାଳ କରାଯାଇଥିଲା। ଏହି ହରତାଳ ଓ ବନ୍ଦକୁ ସଫଳ କରିବା ପାଇଁ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସହରର ମୁଖ୍ୟ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନଗୁଡିକୁ ବନ୍ଦ ରଖିବା ପାଇଁ ବ୍ୟବସାୟୀଙ୍କୁ ନିବେଦନ କରିଥିଲେ। ବ୍ୟବସାୟୀମାନେ ଏହାକୁ ସମର୍ଥନ କରି ଦୋକାନ ବଜାର ୧୨ଟା ପର୍ଯ୍ୟନ୍ତ ବନ୍ଦ ରଖିଥିଲେ। ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ମୋଟରସାଇକଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜନସାଧାରଣଙ୍କୁ ହରତାଳକୁ ସମର୍ଥନ କରିବା ଲାଗି ସମର୍ଥନ କରିଥିଲେ।

ଚାନ୍ଦବାଲି ଛକଠାରେ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଉଦ୍‍ବୋଧନ ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରଥ ରାଜ୍ୟ ବିଜେଡି ସରକାର ସମୟରେ ମହିଳା ଓ ଝିଅମାନେ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ଅନେକ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଉଁଭଳି ଜଘନ୍ୟ ଭାବେ ହତ୍ୟା କରି ତାଙ୍କ ମରଶରୀରକୁ ଟାୟାରରେ ଜାଳି ପୋଡିଦେବା ସଙ୍ଗେ ସଙ୍ଗେ ଗଭୀର ଗାତରେ ପୋତିଦିଆଗଲା ସେଭଳି ଘଟଣା ରାଜ୍ୟରେ ବିରଳ ଏବଂ ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଥିଲେ। ଏଥିରେ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, ଯୁବକଂଗ୍ରେସ ଜିଲ୍ଲା ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଠଗଡ ଯୁବକଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତ, ସଂପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ନେତା ମଙ୍ଗୁଳି ଚରଣ ପାଣି, ପ୍ରକାଶ ଚନ୍ଦ୍ର ପୁହାଣ, ଗଦାଧର ରାଉତ, ରବିନ୍ଦ୍ର ଗଣ୍ଠିଆ, ଗଣେଶ୍ୱର ସ୍ୱାଇଁ, ପ୍ରତାପ ପରିଡା, ଶରତ ଚନ୍ଦ୍ର ଦାଶ, ଅଶୋକ ତ୍ରିପାଠୀ ବିପିନି ମହାପାତ୍ର ଓ ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ବହୁ କଂଗ୍ରେସ ନେତା ଓ କର୍ମୀ ଏହି ହରତାଳ ଓ ବନ୍ଦ ପାଳନରେ ସାମିଲ ହୋଇଥିଲେ।

Comments are closed.