ଆଠଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଆଠଗଡ/ତିଗିରିଆ: ଆଠଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ବୁଧବାର ସ୍ଥାନୀୟ ରାସରସିକପୁର ୟୁଜିୟୁପି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବଶଙ୍କର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ତଥା ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ, କନ୍ଦରପୁର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା, ଆଠଗଡ ସହରାଞ୍ଚଳ ସିଆରସିସି ମୂରଲୀଧର ସାହୁ ଏବଂ ରାସରସିକପୁର ସ୍କୁଲ ପ୍ରଧାନଶିକ୍ଷକ ଦେବରାଜ ନାୟକ ଯୋଗଦେଇ ବିଦ୍ୟାର୍ଥୀଙ୍କର ମାନସିକ ତଥା ବୌଦ୍ଧିକ ବିକାଶରେ ଶିଶୁ ମହୋତ୍ସବ ସୁରଭିର ଅବଦାନ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ଏହି ବ୍ଲକସ୍ତରୀୟ ସୁରଭିରେ ୧୭ଟି କ୍ଲଷ୍ଟରର ୧୩୦ଜଣ ପ୍ରତିଯୋଗୀ ଯୋଗଦେଇ ସଂଗୀତ, ପ୍ରବନ୍ଧ, ତର୍କ, ରଙ୍ଗତୁଳି ଚିତ୍ରାଙ୍କନ ଏବଂ ଦଳଗତ ନୃତ୍ୟ ଆଦି ବିଭାଗରେ ଅଂଶଗ୍ରହଣ କରିଥିଲେ। ସଂଗୀତରେ ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲର ଛାତ୍ରୀ ସସ୍ମିତା ମହାରଣା, ରଙ୍ଗତୁଳି ଚିତ୍ରାଙ୍କନରେ ରାହାଙ୍ଗୋଳ ଆଶ୍ରମ ବିଦ୍ୟାଳୟର ପିଙ୍କୁ ମୁଣ୍ଡୁରୀ, ପ୍ରବନ୍ଧରେ ସମସରପୁରସ୍ଥିତ ସାବିତ୍ରୀରଥ ବିଦ୍ୟାପୀଠର ପ୍ରୀତିମୟୀ ରାଉତ, ତର୍କରେ ସେହି ସାବିତ୍ରୀରଥ ବିଦ୍ୟାପୀଠର ପ୍ରଜ୍ଞାପାରମିତା ସାହୁ ଏବଂ ଦଳଗତ ନୃତ୍ୟରେ ବାଳିସ୍ଥିତ ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ସୁରଭିରେ ଯୋଗଦେବା ପାଇଁ ମନୋନୀତ ହୋଇଥିଲେ।

ଶିକ୍ଷକ ଶୁଭାଷିଶ ଥମ୍ବ, ରାମଚନ୍ଦ୍ର ମହାରଣା, ଅଧ୍ୟାପିକା ପ୍ରମୋଦିନି ଜେନା, ଅଧ୍ୟାପିକା ସଜ୍ଞା ସାଗରିକା ମହାପାତ୍ର, ଅଜୟ କୁମାର ଦାସ, କୁଶ ସାହୁ, ଗୁରୁଦତ୍ତ ନାୟକ ଓ ଭଗବାନ ସାହୁ ପ୍ରମୁଖ ବିଚାରକ ଭାବେ ପ୍ରତିଯୋଗିତାରେ ମୂଲ୍ୟାୟନ କରିଥିଲେ। ଶିକ୍ଷକ ଶଶଧର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ବ୍ଲକର ସମସ୍ତ ସିଆରସିସି, ରାସରସିକପୁର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.