ଆଠଗଡ କଲେଜରେ ସ୍କାଉଟ୍ସ ଓ ଗାଇଡ୍ସର ପ୍ରତିଷ୍ଠା ଦିବସ

ଆଠଗଡ/ତିଗିରିଆ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ରୋଭର୍ସ ଓ ରେଞ୍ଜର୍ସ ପକ୍ଷରୁ ୨୧ତମ ସ୍କାଉଟ୍ସ ଓ ଗାଇଡ୍ସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରୋଭର୍ସ ଓ ରେଞ୍ଜର୍ସମାନଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ସ୍ୱଚ୍ଛତା ରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି ରୋଭର୍ସ ଓ ରେଞ୍ଜର୍ସଙ୍କୁ ଉଦ୍‍ବୋଧନ ଦେଇ ଶିକ୍ଷା ସହିତ ନିଜକୁ ଶୃଙ୍ଖଳିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ମହାବିଦ୍ୟାଳୟର ରେଞ୍ଜର ଲିଡର ଅଧ୍ୟାପିକା ଡଃ ସୁରେଖା ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ପ୍ରତିଷ୍ଠା ଦିବସର ମହତ୍ତ୍ୱ ଓ ଅନୁଚିନ୍ତା ସଂପର୍କରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ବିଜୟ କୁମାର ତ୍ରିପାଠୀ ସମ୍ମାନିତ ବକ୍ତାଭାବେ ଯୋଗଦେଇ ସ୍କାଉଟ୍ସ ଓ ଗାଇଡ୍ସ ସଂସ୍ଥାର ମହାନତା ଓ ସେବା ମନୋଭାବ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ସହାୟିକା ରେଞ୍ଜର ଲିଡର ଅଧ୍ୟାପିକା ସୁଶ୍ରୀ ପଜ୍ଞାପରମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ରୋଭର୍ସ ଓ ରେଞ୍ଜର୍ସମାନେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପ୍ଲାଗ୍‍ ଡେ ଷ୍ଟିକର ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ରେଞ୍ଜର୍ସ ଓ ରୋଭର୍ସମାନେ ରାସରସିକପୁର ୟୁଜିୟୁପି ସ୍କୁଲ, ଗୋପବନ୍ଧୁ ମହାବିଦ୍ୟାଳୟ, କ୍ଷୁଦ୍ର କ୍ରୀଡାଙ୍ଗନ ସନ୍ନିକଟ ପୂଜ୍ୟପୂଜା ପୀଠକୁ ଯାଇ ସେଠାରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ପରିସରକୁ ସଫେଇ କରିଥିଲେ। ଏଥି ସହିତ ସେମାନେ ଆଠଗଡର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯାଇ ସେଠାରେ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ଲାଗ୍‍ ଡେ ଷ୍ଟିକର ପ୍ରଦାନ କରି ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ।

Comments are closed.