ନଳିନୀପ୍ରଭା ସ୍ମାରକୀ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ସୀତାରାମ କ୍ଲବ ଓ ଚୌଦ୍ୱାର କ୍ଲବ

ଆଠଗଡ: ଆଠଗଡ ବାଣୀକଣ୍ଠନଗର ଖେଳପଡିଆଠାରେ ସୀତାରାମ କ୍ରିକେଟ୍‍ କ୍ଲବ ଆନୁକୁଲ୍ୟରେ ୨ୟ ନଳିନୀପ୍ରବା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ୩ୟ ଦିବସରେ ୨ଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବିଜୟୀ ଆୟୋଜକ ସୀତାରାମ କ୍ଲବ ଏବଂ ଚୌଦ୍ୱାର ଏକାଦଶ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚରେ ଆୟୋଜକ ସୀତାରାମ କ୍ଲବ କନ୍ତୋଲ କ୍ରିକେଟ କ୍ଲବକୁ ୪ ୱିକେଟରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଟସ୍‍ଜିତି ପ୍ରଥମେ କନ୍ତୋଲ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୨ ଓଭରରେ ମାତ୍ର ୬୬ରନ୍‍ ସଂଗ୍ରହ କରିଥିଲେ।

ଏହାର ପ୍ରତିଉତ୍ତରରେ ଆୟୋଜକ ସୀତାରାମ କ୍ଲବ ୬ଟି ୱିକେଟ ହରାଇ ଆବଶ୍ୟକୀୟ ରନ୍‍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସୀତାରାମ କ୍ଲବର ଅବିନାଶ ସାମନ୍ତରାୟ ୧୨ବଲ୍‍ରୁ ୩୨ରନ୍‍ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚଟି ସୀତାରାମ କ୍ଲବ ଓ ଲିଜେଣ୍ଟ ଏକାଦଶ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‍ ଥିଲା। ସୀତାରାମ କ୍ଲବ ୧୨ ଓଭରରେ ୧୦୭ରନ୍‍ କରିଥିଲେ। ୧୦୮ରନ୍‍ ବିଜୟ ଲକ୍ଷ୍ୟର ଅନୁଧାବନ କରି ଲିଜେଣ୍ଟ ଏକାଦଶ ସମସ୍ତ ୱିକେଟ ହରାଇ ୮୭ରନ୍‍ ସଂଗ୍ରହ କରି ପରାସ୍ତ ହୋଇଥିଲେ। ରୁଦ୍ରନାରାୟଣ ଦେଓ ୫୪ରନ୍‍ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ୍‍ ବିବେଚିତ ହୋଇଥିଲେ। ଚନ୍ଦ୍ରକାନ୍ତ ବେହେରା ଓ ପ୍ରିତମ ବର୍ମା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ରବିବାର ଅନ୍ତିମ ଦିବସରେ ସୀତାରାମ କ୍ଲବ ଓ ଚୌଦ୍ୱାର ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବ ସୁତ୍ରରୁ ପ୍ରକାଶ।

Comments are closed.