ପାଇପ ଫାଟି ରାସ୍ତାରେ ଲହଡି ମାରୁଛି ପାନୀୟ ଜଳ

ଆଠଗଡ: ଆଠଗଡ ସହରର ସବୁଠାରୁ ବ୍ୟସ୍ତବହୁଳ ଚାନ୍ଦବାଲିଛକ ଠାରେ ଦୀର୍ଘ ୩ମାସରୁ ଉର୍ଦ୍ଧ ସମୟ ଧରି ପାନୀୟ ଜଳ ଯୋଗାଣ ପାଇଁ ପୋତା ହୋଇଥିବା ପାଇପ ଫାଟି ରାସ୍ତା ଉପରେ ଅହରହ ବୋହିଚାଲିଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଚାନ୍ଦବାଲିଛକଟି ୫ଟି ପ୍ରମୁଖ ରାସ୍ତାର ସଂଯୋଗସ୍ଥଳୀ ହୋଇଥିବାବେଳେ ଏହି ରାସ୍ତାଦେଇ ପ୍ରତ୍ୟହ ଶହ ଶହ ଯାନବାହାନ ଓ ଶହ ଶହ ଛାତ୍ରଛାତ୍ରୀ ସାଇକଲରେ ସ୍କୁଲ, କଲେଜ ଯାତାୟତ କରିଥାନ୍ତି। ସେଠାରେ ୩ମାସରୁ ଅଧିକ ସମୟ ହେବ କଂକ୍ରିଟ ରାସ୍ତା ତଳେ ପୋତା ହୋଇ ରହିଥିବା ପାନୀୟ ଜଳ ଯୋଗାଣ ପାଇପ ଠକ୍‍ ଛକର ମଧ୍ୟସ୍ଥଳରେ ଫାଟି ୧୨ଘଣ୍ଟା ପାଣି ବୋହି ଚାଲିଛି।

ସେହି ରାସ୍ତାରେ ଯାଉଥିବା ଗାଡିମଟର ଦ୍ୱାରା ସେହି ପାଣି ଛିଟିକି ପଥଚାରୀ ଏବଂ ସାଇକଲରେ ଯାଉଥିବା କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। ଏଥିପାଇଁ ସେଠାରେ ଦୁର୍ଘଟଣା ଘଟୁଛି ଓ ରାସ୍ତାର ଅବସ୍ଥା ମଧ୍ୟ ଖରାପ ହେଉଛି।ପାନୀୟ ଜଳ ଅଯଥାରେ ଅପଚୟ ହେବା ସହିତ ନିକଟବର୍ତ୍ତୀ ଦୋକାନ ଗୁଡିକର ସାମନାରେ ପାଣି ଜମା ହୋଇ ରହୁଥିବାର ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସଂପର୍କରେ ଚାନ୍ଦବାଲିଛକ ବଜାରର ଅନେକ ବ୍ୟବସାୟୀ ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ସେମାନେ କୌଣସି ପଦକ୍ଷେପ ନେଉନଥିବାରୁ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି।

Comments are closed.