ସାପ କାମୁଡାର ପ୍ରାଥମିକ ଚିକିତ୍ସା ପାଇଁ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ କଟକିଆସାହି ପଞ୍ଚାୟତର ପାଟେଣିଗାଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ସାପ କାମୁଡାର ପ୍ରାଥମିକ ଚିକିତ୍ସା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶ ଅନୁସାରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ଗାଁ ଗହଳିରେ ସାପ କାମୁଡା ରୋଗୀଙ୍କୁ ଡାକ୍ତରଖାନା ନନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡାଫୁଙ୍କା ଚିକିତ୍ସା କରାଇବା ଫଳରେ ବହୁ ଜୀବନ ଅକାଳରେ ଝଡି ପଡୁଛି ବୋଲି ପ୍ରକାଶ କରିଥିଲେ। ସାପ କାମୁଡିବା ବ୍ୟକ୍ତିଙ୍କର ସାପ କାମୁଡିଥିବା ସ୍ଥାନରୁ ମୁଦି, ଘଣ୍ଟା, ବ୍ରତ ଓ ପାଉଁଜି ଆଦି ଖୋଲିଦେବା ସହିତ କ୍ଷତସ୍ଥାନର ଉପରକୁ କ୍ରେପ୍‍ ବ୍ୟାଣ୍ଡେଜ୍‍ ଅଥବା ପତଳା କପଡାରେ ହାଲୁକା ଭାବେ ଗୁଡାଇ ବାନ୍ଧିଦେବା ଜରୁରୀ। ହାତକୁ ସାପ କାମୁଡିଥିଲେ ଛାତି ତଳକୁ ହାତକୁ ଝୁଲାଇ ରଖିବା, ଗୋଡକୁ କାମୁଡିଥିଲେ ସଳଖ କରି ରଖିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଟେକିକରି ନେବା ଆଣିବା କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସାପ ବିଷ ଦାଉରୁ ରକ୍ଷା ପାଇବା ପାଇଁ ସର୍ପ ବିଷ ନିରୋଧକ ଇଞ୍ଜେକ୍‍ସନ୍‍ ହିଁ ଏକମାତ୍ର ଜୀବନ ରକ୍ଷାକାରୀ ବିକଳ୍ପ ଚିକିତ୍ସା।

ଏହି ସୁବିଧା ଅଧିକାଂଶ ଡାକ୍ତରଖାନାରେ ଉପଲବ୍ଧ ଥିବାରୁ କାଳବିଳମ୍ବ ନକରି, ଝଡାଫୁଙ୍କା ଚିକିତ୍ସାରେ ସମୟ ଅପଚୟ ନକରି ତୁରନ୍ତ ଡାକ୍ତରଖାନାକୁ ସାପ କାମୁଡା ରୋଗୀକୁ ନେଇଗଲେ ଉପଯୁକ୍ତ ଚିକିତ୍ସା ଦ୍ୱାରା ସଂପୃକ୍ତ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ଅସଲମ ବୁଝାଇ ଥିଲେ। ସାପ କାମୁଡିଥିବା କ୍ଷତ ସ୍ଥାନକୁ ପାଣିରେ ଧୁଅନ୍ତୁ ନାହଁ, ବରଫ କିମ୍ବା ବିଦ୍ୟୁତ୍‍ କରେଣ୍ଟ ଦିଅନ୍ତୁ ନାହିଁ, ଗୁଣିଗାରେଡି, ମନ୍ଦିରରେ ପାଣି ଢାଳିବା, ଜାରମହୁରା ଲଗାଇବା ଆଦି କାମରେ ସମୟ ଆଦୌ ନଷ୍ଟ ନକରି ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରାଇବା ଲାଗି ସେ ପରାମର୍ଶ ଦେଇଥିଲେ। ସର୍ପଦଂଶନର ପ୍ରଥମ ଦୁଇ ଘଣ୍ଟା ରୋଗୀପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେହି ସମୟ ମଧ୍ୟରେ ନିକଟସ୍ଥ ଡାକ୍ତରଖାନାକୁ ନେଇ ମାଗଣାରେ ଉପଲବ୍ଧ ସାପ ବିଷ ନିରୋଧକ ଇଞ୍ଜେକ୍‍ସନ୍‍ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ଶ୍ରୀ ଅସଲମ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମେଘା ସେକ୍ଟରର ସ୍ୱାସ୍ଥକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତି ସମୂହର ସଦସ୍ୟଙ୍କ ସହିତ ପାଟେଣିଗାଁ ଗ୍ରାମବାସୀ ଯୋଗ ଦେଇଥିଲେ।

Comments are closed.