୬ଟି ବାଣ ଦୋକାନ ସିଲ୍‍, ଲକ୍ଷାଧିକ ଟଙ୍କାର ବାଣ ଜବତ

ଆଠଗଡ: ବିନା ଅନୁମତିରେ ଆଠଗଡ ସହରର ମହୋତ୍ସବ ପଡିଆରେ ଖୋଲିଥିବା ୬ଟି ବାଣ ଦୋକାନକୁ ସିଲ କରାଯିବା ସହ ସଂପୃକ୍ତ ଦୋକାନ ଗୁଡିକରେ ବିକ୍ରିପାଇଁ ରହିଥିବା ଲକ୍ଷାଧିକ ଟଙ୍କାର ବାଣକୁ ପୁଲିସ ଜବତ କରିଛି। ପୁଲିସ୍‍, ଅଗ୍ନିଶମ ବିଭାଗ, ତହସିଲ ଓ ଜିଲ୍ଲା କାର୍ଯାଳୟରୁ ଆବଶ୍ୟକୀୟ ଅନୁମତିପତ୍ର ନ ନେଇ ବାଣ ଦୋକାନଗୁଡିକ ଖୋଲି ଥିବାରୁ ଜିଲ୍ଲାପାଳ ଏବଂ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ତହସିଲର ମିଳିତ ସ୍କାର୍ଡ ଚଢାଉ କରି ଦୋକାନ ଗୁଡିକୁ ସିଲ୍‍ କରିଥିଲେ। ଉଚ୍ଚ ନ୍ୟାୟାଳୟ କମ୍‍ ଶବ୍ଦଯୁକ୍ତ ସବୁଜ ବାଣ ବିକ୍ରି କରିବା ପାଇଁ ମାତ୍ର ୨ଦିନ ପୂର୍ବରୁ ଅନୁମତି ଦେବା ଫଳରେ ବାଣ ବ୍ୟବସାୟୀ ମାନେ ଅନୁମତିପତ୍ର ହାତେଇବା ପାଇଁ ସମୟ ଓ ସୁଯୋଗ ପାଇପାରିନଥିଲେ।

ତେବେ ଆବଶ୍ୟକୀୟ ଅନୁମତିପତ୍ର ନଥାଇ ବାଣ ଦୋକାନ ଖୋଲିବା ବେଆଇନ ହୋଇଥିବାରୁ ସିଲ କରାଗଲା ବୋଲି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ତହସିଲଦାର ପ୍ରିୟବ୍ରତ ଦାସ ପ୍ରକାଶ କରିଥିଲେ। ଆଠଗଡ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡାଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିରୀକ୍ଷକ ସୂର୍ଯ୍ୟାଂଶୁ ଶେଖର ପାଢୀ ଓ ବଡମ୍ବାର ଥାନାର ସହକାରୀ ନିରୀକ୍ଷକ ସତ୍ୟନାରାୟଣ ପାଢୀ ତହସିଲ କର୍ମଚାରୀଙ୍କ ସହ ମିଳିତ ଭାବେ ଏହି ଚଢାଉ କରି ଦୋକାନ ସିଲ କରିବା ସହ ବାଣ ଜବତ କରିଥିଲେ। ଗରିବ ଶ୍ରେଣୀର ବେକାର ଯୁବକମାନେ ଧାର ଉଦାର କରି ବାଣ କିଣିଥିବାବେଳେ ସେମାନେ ପ୍ରଭୁତ କ୍ଷତି ସହି ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ୫ଜଣ ବାଣ ଦୋକାନୀଙ୍କୁ ପୁଲିସ ଭାରତୀୟ କାର୍ଯ୍ୟବିଧି ଆଇନର ଧାରା ୪୧ଅନୁଯାୟୀ ନୋଟିସ୍‍ ଜାରି କରିଥିବା ଆଇଆଇସି ଶ୍ରୀ ପରିଡାଙ୍କ ସୁତ୍ରରୁ ପ୍ରକାଶ।

Comments are closed.