ଆଠଗଡରେ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆଠଗଡ: ଆଠଗଡ ସହରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସହିତ ହିତାଧିକାରୀଙ୍କୁ ଉପକରଣ ଓ ଋଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ୭୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନବୀକରଣ ହେବାକୁ ଥିବା ଆଦର୍ଶ ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏଥିସହିତ ୭୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଆଠଗଡ ଆଦର୍ଶ ଶ୍ମଶାନର ଉନ୍ନତିକରଣ, ପୁରୁଣା ରାଜବାଟୀର ପ୍ରବେଶ ପଥ (ଖିଲଣ) ଯେଉଁଥିରେ ପୂର୍ବରୁ ତହସିଲ କାର୍ଯ୍ୟାଳୟ ଚାଲୁଥିଲା ସେହି ପୁରାତନ କିର୍ତ୍ତିରାଜିର ପୁର୍ନରୁଦ୍ଧାର ପାଇଁ ୬୮ଲକ୍ଷ ବ୍ୟୟରେ ହେବାକୁ ଥିବା କାର୍ଯ୍ୟ, ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପର ମହଲା ନିର୍ମାଣ ଲାଗି ୮୭ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ନବୀକରଣ କାର୍ଯ୍ୟର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିଳାନ୍ୟାସ କରିଥିଲେ।

ପରେ ପରେ ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ୫ଟି ସେକ୍ଟରର ୧୩୩ଟି ଅଙ୍ଗନବାଡି କେନ୍ଦ୍ରକୁ ରୋଷେଇ ଉପକରଣ ବଣ୍ଟନ କରିଥିଲେ। ତତ୍‍ସହିତ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଆଠଗଡର ୨୦ ଓ ତିଗିରିଆର ୧୮ଜଣ ଲୋକଙ୍କୁ ୫୦୦କୁକୁଡା କ୍ଷମତା ବିଶିଷ୍ଟ ବ୍ରଏଲର ଫାର୍ମ ପାଇଁ ୪୦ପ୍ରତିଶତ ରିହାତିଯୁକ୍ତ ୧.୮୦ଲକ୍ଷ ଟଙ୍କା ଲେଖାଏଁ ଋଣ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ବିଡିଓ ଅରୁଣ କୁମାର ଦାସ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର ନାୟକ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ର ନାଥ ରାଉତ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ପୂର୍ବତନ କାଉନସିଲର ଶିଶିର ପ୍ରସାଦ ମାନସିଂହ, ସମବାୟବିତ୍‍ ଲଳିତେନ୍ଦୁ ସେନାପତି, ସମାଜସେବୀ ପ୍ରଦୀପ୍ତ କୁମାର ଦାସ, ରଞ୍ଜିତା ଭକ୍ତାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

Comments are closed.