ଶିଶୁମନ୍ଦିରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ

ଆଠଗଡ: ଆଠଗଡ ଗାନ୍ଧୀମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ୯ମାସର ଦରମା ପାଇନଥିବା ଏବଂ ୬ଜଣ ଶିକ୍ଷକଙ୍କୁ ଛଟେଇ ପ୍ରତିବାଦରେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଆନ୍ଦୋଳନ ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାମାନେ ଆନ୍ଦୋଳନ କରିବା ସହିତ ସେମାନଙ୍କ ଅଭିଯୋଗ ଓ ଦାବି ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ଶିକ୍ଷା ବିକାଶ ସମିତି, ଓଡିଶାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଦୀର୍ଘବର୍ଷ ଧରି ଏଠାରେ ଶିକ୍ଷକତା କରୁଥିବା ୬ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ପରିଚାଳନା କମିଟି ବେଆଇନ ଭାବେ ଛଟେଇ କରିଥିବାରୁ ସମସ୍ତ ଗୁରୁଜୀ ଗୁରମାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଗତ ୨୦୨୦-୨୧ଶିକ୍ଷାବର୍ଷରେ ୮ମାସର ବେତନରୁ ୭୫ଭାଗ ବେତନ ପ୍ରଦାନ କରାଯାଇଥିବାବେଳେ ଆଉ ୪ମାସରେ ବେତନ ଦିଆଯାଇନାହିଁ। ଏବଂ ୨୦୨୧-୨୨ଶିକ୍ଷାବର୍ଷରେ ୩ମାସ ବେତନର ୭୫ଭାଗ ଦିଆଯାଇଥିବାବେଳେ ଆଉ ୩ମାସର ଆଦୌ ଦିଆଯାଇନାହିଁ। ଛାତ୍ରଛାତ୍ରୀଙ୍କ ଠାରୁ ଶିକ୍ଷାଦାନ ଦେୟ ଯଥେଷ୍ଟ ପରିମାଣରେ ଆଦାୟ କରାଯାଉଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ନ୍ୟାର୍ଯ ପ୍ରାପ୍ୟ କାହିଁକି ଦିଆଯାଉନାହିଁ ବୋଲି ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମର୍ଥନ କରୁଥିବା ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

 

ସରକାରୀ ସ୍କୁଲ ଅପେକ୍ଷା ଯଥେଷ୍ଟ କମ୍‍ ବେତନ ଦେଉଥିବାବେଳେ ସରସ୍ୱତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ଶିକ୍ଷକମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ଦାବି କରିବାରୁ ସେମାନଙ୍କୁ ଛଟେଇ କରି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏକାଗ୍ରତା ଓ ଉଚ୍ଚମାନର ଶିକ୍ଷାଦାନ ଯୋଗୁଁ ପ୍ରତ୍ୟେକବର୍ଷ ମାଟ୍ରିକ ପରୀକ୍ଷାରେ ଏହି ସ୍କୁଲର ବିଦ୍ୟାର୍ଥୀମାନେ ଶତପ୍ରତିଶତ ସଫଳତା ହାସଲ କରିଥାନ୍ତି। ଦୀର୍ଘବର୍ଷଧରି ଶିକ୍ଷକତା କରିଆସିଥିବା ଗୁରୁଜୀ ଗୁରୁମାମାନଙ୍କୁ ଏପରି ଅପ୍ରତ୍ୟାଶିତ ଭାବେ ଚାକିରୀରୁ ଛଟେଇ କରିବା ସମୀଚ୍ଚିନ୍ନ ନୁହେଁ ବୋଲି ଅଭିଭାବକ ମହଲରେ ମତପ୍ରକାଶ ପାଉଛି। ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ କରୋନା ସଂକ୍ରମଣ ଯୋଗୁଁ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ଆଶାତୀତ ଭାବେ କମିଥିବା ଓ ଛାତ୍ରଛାତ୍ରୀଙ୍କର ଦେୟ ସେହି ଅନୁପାତରେ କମ୍‍ ମିଳିଥିବାରୁ କିଛିଟା ସମସ୍ୟା ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ। ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Comments are closed.