ବୟସ୍କ ନାଗରିକ ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଏବଂ କନ୍ଦରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ବୟସ୍କ ନାଗରିକ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନା କରି ବୟସ୍କ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପରିବାର ସଦସ୍ୟଙ୍କର ଗୁରୁଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବୟସ୍କ ବ୍ୟକ୍ତିମାନେ କିପରି ସୁସ୍ଥ ଜୀବନ ଯାପନ କରିପାରିବେ ସେମାନଙ୍କୁ ସହଯୋଗ ଓ ସଚେତନ କରିବା ପାଇଁ ବୟସ୍କ ନାଗରିକ ଦିବସ ପାଳନ କରାଯାଇଥାଏ। ବୟସ୍କ ବ୍ୟକ୍ତି ସୁଷମ ଖାଦ୍ୟ ଖାଇବା, ତମ୍ବାଖୁ ଓ ମାଦକ ଦ୍ରବ୍ୟ ସେବନରୁ ନିବୃତ ହେବା, ନିୟମିତ ବ୍ୟାୟାମ କରିବା ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ।

ସେମାନଙ୍କର ଅନିୟନ୍ତ୍ରିତ ମଧୁମେହ, ହୃଦ୍‍ରୋଗ, କିଡନୀ ରୋଗ, ଉଚ୍ଚ ରକ୍ତଚାପ ଓ ଶ୍ୱାସରୋଗ ସାଙ୍ଗକୁ ଏବେ କରୋନା ସଂକ୍ରମଣର ସମ୍ଭାବନା ଅଧିକା ରହିଛି। ଏଥିପ୍ରତି ସେମାନେ ସଚେତନ ହେବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା, କୋଭିଡ ଟୀକା ନେବା ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରୀ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ବିମଳା ସାହୁଙ୍କ ସମେତ ଅଙ୍ଗନବାଡି ଓ ଆଶାକର୍ମୀ, ଗାଁ କଲ୍ୟାଣ ସମିତିର ସଦସ୍ୟ ଏବଂ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

Comments are closed.