ଶିକ୍ଷାବିତ୍‍ ବାଉରୀ ବନ୍ଧୁ ରାଉତଙ୍କ ସ୍ମୃତିଚାରଣ

ଆଠଗଡ: ଆଠଗଡ ଅଞ୍ଚଳର ଜଣେ ସୁନାମଧନ୍ୟ ଶିକ୍ଷାବିତ୍‍ ସ୍ୱର୍ଗତ ବାଉରୀବନ୍ଧୁ ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗୁରୁବାର ତାଙ୍କ ନିଜ ଗ୍ରାମ ଜୋରନ୍ଦାଠାରେ ଏକ ସ୍ମୃତିସଭା ଆୟୋଜନ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏଥିରେ ଅତିଥିଭାବେ ଯୋଗଦେଇଥିବା ବୈଷ୍ଣବ ଦାସାନୁଦାସ ଶ୍ରୀ ଯଶୋଦାନନ୍ଦନ ଦାସ ମହାରାଜ, ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉଦୟନାଥ ନାୟକ, ଶିକ୍ଷାବିତ୍‍ ସୁରେଶ ଚନ୍ଦ୍ର ପରିଡା, ନିଖିଳ ଚରଣ ପରିଡା, ମନ୍ଦରଧର ସାହୁ ପ୍ରମୁଖ ଉଦବୋଧନ ଦେଇ ସ୍ୱର୍ଗତ ବାଉରୀବନ୍ଧୁଙ୍କ ଶିକ୍ଷାଦାନ ଦକ୍ଷତା, ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ପ୍ରକାଶିତ ଏକ ସ୍ମରଣୀକା ଓ ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତ୍ତିକୁ ଯଶୋଦାନନ୍ଦନ ଦାସ ମହାରାଜ ଓ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ଧବଳେଶ୍ୱର ସଂକୀର୍ତ୍ତନ ମଣ୍ଡଳର ସଭାପତି ଅନାମ ଚରଣ ସାହୁଙ୍କ ତତ୍ୱାବଧାନରେ ସଂକୀର୍ତ୍ତନ ପରିବେଷଣ ସହିତ ଏକ ସତସଂଘ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ଅତିଥି, ଗ୍ରାମବାସୀ ଓ ବହୁ ପୁରାତନ ଛାତ୍ର ସ୍ୱର୍ଗତ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆତ୍ମାର ସଦଗତି କାମନା କରିଥିଲେ।

Comments are closed.