ଆଠଗଡ ବ୍ଲକରେ ବଳରାମ ଯୋଜନାରେ ଶୁଭାରମ୍ଭ, ପଞ୍ଚାୟତ ସମିତି ନୂତନ ଗୃହ ଉଦ୍‍ଘାଟିତ

ଆଠଗଡ: ଆଠଗଡ ବ୍ଲକରେ ଶୁକ୍ରବାର ଓଡିଶା ସରକାରଙ୍କ ବଳରାମ ଯୋଜନାରେ ଶୁଭାରମ୍ଭ କରାଯିବା ସହ ଆଠଗଡ ପଞ୍ଚାୟତ ସମିିତିର ୨ ମହଲା ବିଶିଷ୍ଟ ନୂତନ ଅଟ୍ଟାଳିକ ଉଦ୍‍ଘାଟିତ ହୋଇଯାଇଛି। ଏଥି ସହିତ ବିଭିନ୍ନ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଓ ଅନ୍ୟ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟରେ ଉପାଧ୍ୟକ୍ଷା ଚିନ୍ମୟୀ ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଳରାମ ଯୋଜନାରେ ୧୪୫ଟି ଭୂମିହୀନ ଭାଗଚାଷୀ ଗୋଷ୍ଠୀଙ୍କୁ ପ୍ରତି ଗୋଷ୍ଠୀପାଇଁ ୧ ଲକ୍ଷ ଟଙ୍କା ହିସାବରେ ଏକ ବର୍ଷ ପାଇଁ ବିନା ସୁଦ୍ଧରେ ଋଣ ପ୍ରଦାନ କରାଯାଇଥିଲା। ଏଥିସହିତ ୫୦ଜଣ ଚାଷୀଙ୍କୁ ଘାସମରା ଯନ୍ତ୍ର, କୃଷି କାର୍ଯ୍ୟ କରୁଥିବା ୭ଗୋଟି ଗୋଷ୍ଠୀକୁ ୧୦ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ ସହିତ ଓଡିଶା ଜୀବିକା ମିଶନ ପକ୍ଷରୁ ଖୁଣ୍ଟକଟା ପଞ୍ଚାୟତର ନୂଆବନ୍ଧ ଗ୍ରାମର କୃଷି ଉତ୍ପାଦ ସ୍ୱୟଂ ସହାୟକ ଗୋଷ୍ଠୀକୁ ପାୱାର ଟିଲର, ଚାଉଳ ପେଷା ଯନ୍ତ୍ର, ଘାସସଫା ଯନ୍ତ୍ର ଆଦି ୭ଟି ଉପକରଣ ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପଞ୍ଚାୟତ ସମିତିର ୪୦ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ୨ମହଲା ବିଶିଷ୍ଟ ନୂତନ ଅଟ୍ଟାଳିକାକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଠଗଡର ଜଳ ଜୀବନ ମିଶନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଆଠଗଡ ବ୍ଲକର ୩୪ଟି, ତିଗିରିଆର ୧୪ଟି, ଉତ୍ତରବାଙ୍କୀର ୭ଟି ଏବଂ ଟାଙ୍ଗୀଚୌଦ୍ୱାର ବ୍ଲକର ୧ଟି ପଞ୍ଚାୟତକୁ ମିଶାଇ ସର୍ବମୋଟ ୨୬୨ଟି ଗ୍ରାମରେ ୬୧ହଜାର ୨୫୮ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ସେହପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ଖୁବ୍‍ଶୀଘ୍ର ସ୍ୱାସ୍ଥ୍ୟକାର୍ଡ ଯୋଗାଇ ଦିଆଯିବ ଏବଂ ଏହି ସ୍ମାର୍ଟ କାର୍ଡ ଦ୍ୱାରା ମହିଳାମାନେ ୧୦ଲକ୍ଷ ଟଙ୍କା ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ କାଳୁଚରଣ ବେହେରା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଂପାଦକ ଅଶୋକ କୁମାର ଦାସ, ସମବାୟ ସମିତି ସମୂହର ଉପନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ଆତ୍ମାର ଉପପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ମଲ୍ଲିକ, ଆଠଗଡ ବ୍ଲକ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ର ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଜାନକୀଲତା ନାଏକ, କେଶବ ଦଳେଇ, ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ରାଉତ, କନିଷ୍ଠ ଯନ୍ତ୍ରୀ ଦେବବ୍ରତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଓ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.